ସମ୍ବଲପୁର : ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗଙ୍କ ସୁପାରିସକ୍ରମେ ରାଜ୍ୟ ସରକାର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ଶ୍ରେଣୀ(ଏସ୍‌ଇବିସି) ତାଲିକାରେ ଆହୁରି କେତେକ ଜାତିକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବଢ଼େଇ/ ବିନ୍ଧାଣୀ/ବିନ୍ଦାଣୀଙ୍କୁ ଏସ୍‌ଇବିସି ତାଲିକାର କ୍ରମିକ ସଂଖ୍ୟା ୪, ବରଜି, ବାରୋଇକୁ କ୍ରମିକ ସଂଖ୍ୟା ୯, ଶଙ୍ଖୁଆ ତନ୍ତୀ(ତନ୍ତି) ଗୋଲା ତନ୍ତି, ଲଜ୍ଜା ନିବାରଣ, ହଂସି ତନ୍ତି/ ହଂସି ତନ୍ତୀ/ ହଂସି ତନତୀ ଜାତିକୁ କ୍ରମିକ ସଂଖ୍ୟା ୫୦ରେ ସାମିଲ କରିବାକୁ ସୂଚିତ କରାଯାଇଛି।

Advertisment

ସେହିପରି କପଡ଼ିଆ ଜାତିକୁ କ୍ରମିକ ସଂଖ୍ୟା ୬୩, ଗନ୍ଧମାଳୀ, ଥନାପତି, ପଣ୍ଡରା ମାଳୀକୁ ୧୦୬, ପନିଆର ମାଳି(ଳୀ)/ ପନ୍ଦାରିଆ/ ପନ୍ଦାରୀଆକୁ ୧୩୦, ଓଡ଼ ଖଣ୍ଡାୟତ, ବୟାଳିଶ, ଓଡ଼/ଓଡ଼ ପାଇକକୁ ୧୩୮, ହଳଦିଆ ତେଳିକୁ ୧୬୮ ଏବଂ କାଳନ୍ଦି/କାଳନ୍ଦୀ ଜାତିକୁ ଏସ୍‌ଇବିସି ତାଲିକାର କ୍ରମିକ ସଂଖ୍ୟା ୧୮୬ରେ ସାମିଲ କରିବାକୁ ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଗତ ୬ ତାରିଖ ଦିନ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତାବ(ରିଜୋଲେସନ) ଗ୍ରହଣ କରାଯାଇଛି। ଏହାକୁ ସ୍ବତନ୍ତ୍ର ଭାବେ ଓଡ଼ିଶା ଗେଜେଟ୍‌ର ପ୍ରକାଶିତ କରିବା ପାଇଁ ରାଜ୍ୟପାଳଙ୍କ ଆଦେଶ ରହିଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଦର୍ଶାଇଛନ୍ତି।