ପୁଅଙ୍କ ଫଟୋ ଧରି ଘୂରି ବୁଲୁଛନ୍ତି, ଭିଡିଓରେ ଦେଖିଥିଲେ ଏବେ ମିଳୁ ନାହାନ୍ତି

ଭୁବନେଶ୍ବର : ବିହାର ମଧୁବନିର ସୁରେଶ ରାୟ(୫୫) ନିଜ ଦୁଇ ପୁଅ ମନୋଜ ରାୟ ଏବଂ ରଞ୍ଜିତ ରାୟଙ୍କୁ ଗତ ୯ ଦିନ ହେଲା ଖୋଜୁଛନ୍ତି ଯେ ଆଜି ଯାଏଁ ପାଉ ନାହାନ୍ତି। ଆଶ୍ଚର୍ଯ୍ୟବିଷୟ ହେଲା, ଓଡ଼ିଶାର ଏକ ନ୍ୟୁଜ ଚ୍ୟାନେଲ୍‌ରେ ତାଙ୍କ ପୁଅ ମନୋଜ ରାୟଙ୍କୁ ଆହତ ଅବସ୍ଥାରେ ଜଣେ ସ୍ବେଚ୍ଛାସେବୀ ପାଣି ପିଆଉଥିବା ପ୍ରସାରିତ ହୋଇଥିଲା। ଏହା ଦେଖି ସେମାନେ ପ୍ରଥମେ କଟକ ଯାଇଥିଲେ ମାତ୍ର ସେଠାରେ ମନୋଜଙ୍କ କୌଣସି ଖବର ନଥିଲା। କାଳେ ତାଙ୍କ ମୃତ୍ୟୁ ହୋଇଥିବ ଭାବି ଏମ୍‌ସ ଆସି ଦେଖୁଛନ୍ତି। କିନ୍ତୁ ଏଠାରେ ମଧ୍ୟ ମୃତକଙ୍କ ମଧ୍ୟରୁ ଦୁଇ ପୁଅଙ୍କ ମଧ୍ୟରୁ କାହାକୁ ଚିହ୍ନଟ କରିପାରୁ ନାହାନ୍ତି। ଡିଏନ୍ଏ ପରୀକ୍ଷଣ ପାଇଁ ତାଙ୍କ ରକ୍ତ ନମୁନା ନିଆଯାଇଥିବା କହିଛନ୍ତି।

କେବଳ ଏହି ଦୁଇ ଜଣ ନୁହନ୍ତି ଏକାଠି ଚାକିରି ପାଇଁ ଚେନ୍ନାଇ ଯାଉଥିବା ମଧୁବନିର ୬ ଜଣ ଯୁବକଙ୍କ ମଧ୍ୟରୁ ଅମିଳ ମଣ୍ଡଳ ଏବଂ ମହମ୍ମଦ ସଲାମଙ୍କ ମଧ୍ୟ ପତ୍ତା ମିଳୁନାହିଁ। କୁଳଦୀପ ଠାକୁରଙ୍କୁ ଚିହ୍ନଟ କରାଯାଇ ତାଙ୍କ ମରଶରୀରକୁ ଗାଁକୁ ପଠାଯାଇଛି। ରାମ ଭରୋସେ ଠାକୁର ଚିକିତ୍ସାଧୀନ ଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି। ଛତ୍ରପତି ଏବଂ ମନୋଜ ସାହାଣୀଙ୍କୁ ଖୋଜୁଛନ୍ତି ସେମାନଙ୍କ ବାପା ଛପ୍ରାର ନାଗେଶ୍ବର ରାୟ ଏବଂ ସୀତାମାଢି ଜିଲ୍ଲାର ବିଶ୍ବନାଥ ସାହାଣୀ। ବିହାରର ଏହି ବ୍ୟକ୍ତିମାନେ ନିଜ ନିଖୋଜ ସମ୍ପର୍କୀୟଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ବିଏମସି ହେଲ୍ପ ଲାଇନ, ଜିଆରପିକୁ ମଧ୍ୟ ଜଣାଇଥିବା କହିଛନ୍ତି। ପରିଜନଙ୍କୁ ଖୋଜୁଥିବା ଅନେକ ବ୍ୟକ୍ତିଙ୍କ ମଧ୍ୟରେ ବିହାରର ଅଧିକାଂଶ ରହିଛନ୍ତି।

ସମ୍ବନ୍ଧିତ ଖବର