ଜୟପୁର: ଜିଲ୍ଲାରେ ସଂପ୍ରତି ଆରମ୍ଭ ହୋଇ ସାରିଛି  ଖରିଫ ମଣ୍ଡି।  ତେବେ ଏବର୍ଷ ବି ଆସିପାରିନି ଆଡଭାନସ୍ ପ୍ୟାଡି କ୍ଲିନର (ଉନ୍ନତମାନର ଧାନ ସଫା ଯନ୍ତ୍ର) ଓ ସବୁ ମଣ୍ଡିରେ ଲାଗିପାରିଲାନି ସିସିଟିଭି। ପରିଚାଳନା ଓ ଧାନ କ୍ରୟ ବାବଦକୁ ଆରଏମସି (ନିୟନ୍ତ୍ରିତ ବଜାର କମିଟି)କୁ କମିଶନ ବାବଦକୁ ୨ପ୍ରତିଶତ ଟଙ୍କା ମିଳୁଛି। ଏହା ପରେ ବି ଜିଲ୍ଲାର ଅଧିକାଂଶ ମଣ୍ଡିର ଭିତ୍ତିଭୂମି ଅସଜଡ଼ା ହୋଇ ରହିଛି।

Advertisment

ସୂଚନା ମୁତାବକ, ଜୟପୁର ନିୟନ୍ତ୍ରିତ ବଜାର କମିଟି ଅଧିନରେ   ୭୭ଟି ମଣ୍ଡିରୁ ୨୫ଟି ମଣ୍ଡିରେ ଅନୁସଙ୍ଗିକ ଭିତ୍ତିଭୁମି ରହିଛି।  ଏଥିରୁ ୪ଟି ସ୍ଥାନ ଜୟପୁର, ବୋରିଗୁମ୍ମା, କୋଟପାଡ଼ ଓ ନୂଆଗାଁରେ ‌ କଭରସେଡ ସହ ପିଣ୍ଡି ଓ ଗୋଦାମ ଗୃହ ସହ ୱେ ମେସିନ୍ (ଓଜନମାପକ) ଯନ୍ତ୍ର ଓ ପାଚେରୀ ରହିଛି। ବଳକା ୨୧ଟି ସ୍ଥାନରେ ଯଥା ଜୟନ୍ତଗିରୀ, କଙ୍ଗା, ରାଣୀଗଡ, ମସିଗାଁ, ବାଗଦେରୀ, ଉଦଲଗୁଡା, ପାମ୍ପୁଣୀ, ଦଶମନ୍ତପୁର, ବୈପାରୀଗୁଡା, କାମତା, ଡଙ୍ଗରପାଉଁଶୀ,ବବେୟା, ଘୁମୁର ଆଦି ସ୍ଥାନ‌ୋର  କଭର ସେଡ, ପିଣ୍ଡି, ଓଗୋଦାମ ଘର ରହିଛି। ମଣ୍ଡିର ଭିତ୍ତିଭୂମିକୁ ସଂପୁର୍ଣ୍ଣ ରୁପେ ସୁଧାରିବା  ଦାୟିତ୍ବ ଆରଏମସି (ନିୟନ୍ତ୍ରିତ ବଜାର କମିଟି)ର। ଏଥି ପାଇଁ କ୍ବିଣ୍ଟାଲପିଛା ୨ପ୍ରତିଶତ ଆର୍ଥିକ ପ୍ରତ୍ସାହନ ରାଶି ଆରଏମସିକୁ  ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଦିଆଯାଉଛି। ଏହି ପ୍ରତ୍ସାହନ ରାଶିରେ  ଆରଏମସି ମଣ୍ଡି ଗୁଡିକରେ ଗୋଦାମଘର, ପିଣ୍ଡି, କଭରସେଡ୍  ୱେବ୍ରିଜ୍ ନିର୍ମାଣ କରିବା କଥା। ଏହା ସହ ଚାଷୀଙ୍କୁ ଉତ୍ତମ ସେବା ଯୋଗାଇ ଅଚାନକ ବର୍ଷାରୁ ମଣ୍ଡିର ଧାନ ସୁରକ୍ଷା ପାଇଁ ଚାଷୀଙ୍କୁ ତାରପୋଲିନ୍ ଯୋଗାଇବା ସହ ମଣ୍ଡିରେ ସେଡ ନିର୍ମାଣ କରିବା ସହ ବସିବା ପାଇଁ ଚୈକି ପକାଇବା ସହ ପିଇବାକୁ ପାଣି ଦେବା କଥା। ଏହା ବାଦେ ସବୁ ମଣ୍ଡିରେ ଆଡଭାନସ୍ ପ୍ୟାଡି କ୍ଲିନର ଓ ସିସିଟିଭି କ୍ୟାମେରା ଲାଗିବା କଥା। ଏହା ନ ନେବା ଦ୍ବାରା ଚାଷୀ ଓ ମିଲର୍ସଙ୍କ ମଧ୍ୟରେ ଏଫଏକ୍ୟୁ ମାନକୁ ନେଇ ବିବାଦ ଉଠିବା ସହ  କଟନିଛଟନି ହେଉଛି। ବହୁ ସମୟରେ ମଣ୍ଡି ଗୁଡିକରେ ଏଥି ପାଇଁ ନାହିଁ ନଥିବା ଅସୁବିଧା ସମସ୍ତଙ୍କୁ ଭୋଗିବାକୁ ପଡ଼ୁଛି।

ଜୟପୁର ଆରଏମସି ପକ୍ଷରୁ ନିଜସ୍ବ ମଣ୍ଡିର ପିଣ୍ଡି ଓ ଗୋଦାମ ସହ ଭିତ୍ତଭୂମି ସଜାଡ଼ିବା ପାଇଁ ଜିଲ୍ଲାପ୍ରଶାସନକୁ ସରକାରୀ ଜମି୨ଏକର ଲେଖାଏଁ ଦେବା ପାଇଁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ସଂପାଦକ ଚନ୍ଦ୍ର ସେଠିଆ। ୧୦ଟି ଆଡଭାନସ୍ ପ୍ୟାଡି କ୍ଲିନର କିଣି ଯୋଗାଇବା ପାଇଁ ଓଏସଡାମା ବୋର୍ଡକୁ ଅବଗତ କରାଯାଇଛି। ତେବେ ଏହା ଅତିଶୀଘ୍ର ପହଚିଂବ। ୩୦ଟି ଭ୍ରାମ୍ୟମାଣ ସିସିଟିଭି କ୍ୟାମେରା, ୧୨୦୦ଟି ତାରଫୋଲିନ୍  ବିଭିନ୍ନ ମଣ୍ଡିରେ ବ୍ୟବହାର କରାଯାଉଛି ବୋଲି କହିଛନ୍ତି ଆରଏମସି ସଂପାଦକ। ୨୧ଟି ସ୍ଥାୟୀ ମଣ୍ଡି ଓ ଗୋଦାମ ଥିବା ସ୍ଥାନରେ ସିସିଟିଭି କ୍ୟାମେରା ବି ଲଗାଯିବାର ଯୋଜନା ରହିଛି।