ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ବର୍ଷା ଦିନରେ ଯାତାୟାତରେ ସମସ୍ୟା ହୋଇଥାଏ। ବର୍ଷା ଦିନ ହେଲେ ଚାଲି ଚାଲି ଯିବା ମଧ୍ୟ କଷ୍ଟ ହୋଇଥାଏ। ଫଳରେ ଗ୍ରାମର ରୋଗୀ ଏବଂ ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଖଟିଆ ଭରସା ହୋଇଥାଏ। ସେହିପରି ପିଲାମାନଙ୍କର ପାଠ ପଢ଼ା ବନ୍ଦ ହୋଇଯାଇଥାଏ। ଏହିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମବାସୀ।
ଗ୍ରାମବାସୀଙ୍କ କହିବା ପ୍ରକାରେ ଦୀର୍ଘ ୪୦ ବର୍ଷ ତଳେ ନବରଙ୍ଗପୁର ଜିଲ୍ଲାର କିଛି ପରିବାର ଜଙ୍ଗଲ କାଟି ବସତି ସ୍ଥାପନ କରିଥିଲେ। ପରେପରେ ସେହି ଗ୍ରାମକୁ ଟିପାଗୁଡ଼ା ନାମ ଦେଇଥିଲେ। ବର୍ତ୍ତମାନ ଟିପାଗୁଡ଼ା ଗ୍ରାମରେ ହରିଜନ, ଗୌଡ଼ ଓ ଜାନୀ ସମ୍ପ୍ରଦାୟର ପ୍ରାୟ ୫୦ ପରିବାର ବସବାସ କରନ୍ତି। ଏହି ଗ୍ରାମକୁ ଯିବା ପାଇଁ ଆମାଳିଝରି ଗ୍ରାମ ଦେଇ ଯିବା ପାଇଁ ପଡେ।ପ୍ରଶାସନ ପକ୍ଷରୁ ଆମିଳିଝରି ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ଆମିଳିଝରି ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଟିପାଗୁଡା ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ପ୍ରଶାସନ ପକ୍ଷରୁ ଗତ କିଛି ମାସ ତଳେ ଆମିଳିଝରି ଠାରୁ ଟିପାଗୁଡା ରାସ୍ତାରେ ମାଟି ପକା ଯାଇଥିଲା। ବର୍ଷା ହେବା ପରେ ବର୍ତ୍ତମାନ ରାସ୍ତାରେ ବର୍ଷା ପାଣି ଏବଂ କାଦୁଅ ଭରି ରହୁଛି।
ସେହିପରି ଚିକିଟା ମାଟି ଯୋଗୁଁ ସେହି ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ କଷ୍ଟ ହେଉଛି। ବିଭିନ୍ନ ସମୟରେ ଲୋକମାନେ ଚାଲି ଯିବା ବେଳେ ଗଡ଼ ଖସି ତଳେ ପଡ଼ି ଆହତ ହେଉଥିବା ଗ୍ରାମବାସୀ କହିଛନ୍ତି। ସେହିପରି ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଟିପାଗୁଡା ଗ୍ରାମ ପର୍ଯ୍ୟନ୍ତ ଯାଇ ନପାରି ଆମାଳିଝରି ଗ୍ରାମରେ ରହି ଯାଉଛି।ଫଳରେ ଗ୍ରାମର ରୋଗୀ ଏବଂ ଗର୍ଭବତୀ ମହିଳାମାନଙ୍କୁ ଆମିଳିଝରି ଗ୍ରାମ ପର୍ଯ୍ୟନ୍ତ ଖଟିଆରେ ବୋହି ନେବା ପାଇଁ ପଡୁଥିବା କହିଛନ୍ତି। ରାସ୍ତା ଖରାପ ଯୋଗୁଁ ଗ୍ରାମର ପ୍ରାୟ ଗର୍ଭବତୀ ମହିଳା ଘରେ ବୟୋଜ୍ୟେଷ୍ଠ ମହିଳାମାନଙ୍କ ସହାୟତାରେ ପ୍ରସୂତୀ ହେଉଥିବା କହିଛନ୍ତି। ଦିନ ତଳେ ଟିପାଗୁଡା ଗ୍ରାମର ଲକ୍ଷ୍ମଣ ଜାନୀଙ୍କ ସ୍ତ୍ରୀ ଅମ୍ବିକା ଜାନୀ ଘରେ ପ୍ରସବ ହୋଇ ନବଜାତ ଶିଶୁପୁତ୍ର ଜନ୍ମ ଦେଇଥିବା ସୂଚନା ମିଳିଛି।
ସେହିପରି ଟିପାଗୁଡ଼ା ଗ୍ରାମରେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ହୋଇ ନଥିବା ବେଳେ ଏଠାକାର ପିଲାମାନେ ଦେଢ଼ କିଲୋମିଟର ଦୂରରେ ଥିବା ଆମିଳିଝରି ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ବେଳେ ଅଙ୍ଗନବାଡ଼ି ପିଲାମାନେ ପ୍ରାୟ ଆଠ କିଲୋମିଟର ଦୂରରେ ଥିବା ମୋତିବନ୍ଧଗୁଡା ଅଙ୍ଗନବାଡ଼ି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ବର୍ଷା ଦିନରେ ରାସ୍ତା ଖରାପ ଯୋଗୁଁ ଟିପାଗୁଡା ଗ୍ରାମର ପିଲାମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ପଠାଇବା ପାଇଁ ଅଭିବାହକମାନେ ଇଛା ପ୍ରକାଶ କରୁନଥିବା କହିଛନ୍ତି।
ସେହିପରି ବହୁବାର ଦାବି ପରେ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ ହୋଇଥିବା ବେଳେ ଚାନ୍ଦିନୀ ହୋଇ ନାହିଁ ଫଳରେ ମହିଳାମାନେ ପାଣି ସଂଗ୍ରହ ବେଳେ ସମସ୍ୟା ହେଉଥିବା ବେଳେ ଗାଁ ଦାଣ୍ଡରେ ମଧ୍ୟ ପ୍ରଶାସନ ପକ୍ଷରୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇ ନଥିବା ଅଭିଯୋଗ ହୋଇଛି। ତେଣୁ ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମର ଲଛମନ ହରିଜନ, ବ୍ରଜ ଗୌଡ଼, ସୁରୁ ସୁନା, ଖଗପତି ହରିଜନ, ମୋତିଲାଲ ହରିଜନ, ପଦ୍ମନ ଗୌଡ଼, ବସନ୍ତ ସୁନା ମନବୋଧ ଗୌଡ଼, କୁମ ଗୌଡ଼, ଦୂକମଲ ହରିଜନ, ମଦନ ହରିଜନ, ହରି ଗୌଡ଼, ଚନ୍ଦନ ହରିଜନ, ଯସେନ ହରିଜନ, ହାରନ ହରିଜନ, ଲକ୍ଷନ ଜାନୀ, ପର୍ଶୁ ଗୌଡ଼, ବାଗେନ ଜାନୀ, ଡମ୍ବରୁ ଜାନୀ, ଡ଼ମୁ ଜାନୀ, ଦଶରୁ ଜାନୀ ପ୍ରମୁଖ ଦାବି କରିଛନ୍ତି।