ବେଗୁନିଆପଡ଼ା : ବେଗୁନିଆପଡ଼ା ସହରରେ ସଂପ୍ରତି ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ପାଲଟିଛି। ବସ୍‌ଷ୍ଟାଣ୍ଡ୍ ଓ ଅଟୋଷ୍ଟାଣ୍ଡ୍ ନଥିବାରୁ ଦିନ ୧୧ଟା ପରେ ମୁଖ୍ୟରାସ୍ତା ଲୋକାରଣ୍ୟ ହେଉଛି। ଯାନବାହନ ଅତିକ୍ରମ କରିବା ମଧ୍ୟ କଷ୍ଟସାଧ୍ୟ ହେଉଛି। ବିଶେଷକରି ପରିବାବଜାର ଓ ମୁଖ୍ୟରାସ୍ତା ଛକରେ ୨୪ ଘଣ୍ଟା ଧରି ‌ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଯାତ୍ରୀବାହୀ ଗାଡ଼ି ଓ ଅନ୍ୟାନ୍ୟ ମାଲ୍ ବୋଝେଇ ଗାଡ଼ି ଯାତାୟାତ କରୁଥିବାରୁ ସମସ୍ୟା ଦ୍ବିଗୁଣିତ ହେଉଛି। ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ସେପଟେ ବଜାର ମୁଖ୍ୟରାସ୍ତା ପାର୍ଶ୍ୱରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ବିପଜ୍ଜନକ ଅବସ୍ଥାରେ ରହିଛି। ଫଳରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

Advertisment

ସେହିପରି ଏଠାକୁ ପ୍ରତିଦିନ ବିଭିନ୍ନ ସ୍ଥାନରୁ ସହସ୍ରାଧିକ ଲୋକ ଆସୁଥିବା ବେଳେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶ୍ରାମାଗାର ନିର୍ମାଣ ପାଇଁ ବହୁଦିନ ହେଲା ଦାବି ଉପସ୍ଥାପନ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରୁନି। ଅନ୍ୟପକ୍ଷରେ ଡ୍ରେନେଜ୍ ସମସ୍ୟା ବି ଚିନ୍ତାଜନକ ପାଲଟିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ଟ୍ରାଫିକ୍ ଓ ଡ୍ରେନେଜ୍ ସମସ୍ୟା ସମାଧାନ ଦିଗରେ ପ୍ରଶାସନ ତତ୍ପରତା ଦେଖାଇବାକୁ ସାଧାରଣରେ ଦାବି ହୋଇଛି।