ଭୁବନେଶ୍ବର : କିଛି ଜାତିର ନାମ ଲେଖିଲା ବେଳେ ବନାନରେ ମାତ୍ରାର ବ୍ୟବହାର ଏପଟ ସେପଟ ହୋଇଥିବାରୁ ସେମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରାଯାଉନି। ବର୍ଷ ବର୍ଷ ଧରି ଏହି ପ୍ରସଙ୍ଗ ଉଠାଯାଉଥିଲେ ବି ସମସ୍ୟାର ସମାଧାନ ହେଉନି। ଫଳରେ ସେହି ଜାତିର ଲୋକମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଆଜି ବିଧାନସଭାରେ ଦାବି ହୋଇଛି।

Advertisment

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ବିଧାୟକଙ୍କ ପ୍ରଶ୍ନକୁ ସାମ୍ନା କରିଥିଲେ। ବିଧାୟକଙ୍କ ଉଦ୍‌ବେଗ ସହ ଏକମତ ହୋଇଥିଲେ। କିନ୍ତୁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେନି ବୋଲି ଜଣାଇ ଦେଇଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଆବଶ୍ୟକ ଅନୁଧ୍ୟାନ କରି କେନ୍ଦ୍ରକୁ ସୁପାରିସ୍‌ କରିବେ। କୌଣସି ଜାତିକୁ ଅନୁସୂଚିତ ଜାତି କିମ୍ବା ଜନଜାତି ବର୍ଗରେ ତାଲିକାଭୁକ୍ତ କରିବା କ୍ଷମତା ‌କେବଳ କେନ୍ଦ୍ର ସରକାରଙ୍କର।

ପ୍ରଶ୍ନକାଳରେ ଭାସ୍କର ମଢ଼େଇଙ୍କ ମୂଳ ପ୍ରଶ୍ନ ଥିଲା, ଏସ୍‌ସି/ଏସ୍‌ଟି ବ୍ୟକ୍ତିଙ୍କ ପିଲାମାନେ ଜାତି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ଏସ୍‌ସି ବର୍ଗରେ ମାହାର-ମେହେନ୍ତର, ପ୍ରାଣ-ପାତ୍ରତନ୍ତୀ, ଏସ୍‌ଟି ବର୍ଗରେ ଲୋହ-ବିନ୍ଦାଣୀ, ଶଙ୍କର-ସହରଙ୍କର ମୌଳିକ ବୃତ୍ତି ଓ ବୈବାହିକ ଜୀବନ ସମାନ ଥିଲା ବେଳେ ମେହେନ୍ତର, ପାତ୍ରତନ୍ତି, ବିନ୍ଧାଣୀ, ସହର ଜାତିର ଲୋକ ଜାତି ପ୍ରମାଣପତ୍ର ପାଉନାହାନ୍ତି। ଏହି ପ୍ରଶାସନିକ ତ୍ରୁଟିକୁ ସଂଶୋଧନ କରିବେ କି?

ଗୃହରେ ଉଦ୍‌ବେଗ ପ୍ରକାଶ କଲେ ବିଧାୟକ
୧୬୯ ଜାତିର ନାମ କେନ୍ଦ୍ରକୁ ସୁପାରିସ୍ କରାଯାଇଛି: ମନ୍ତ୍ରୀ

publive-image

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ କହିଥିଲେ, ରାଜ୍ୟରେ ବସବାସ କରୁଥିବା ଏସ୍‌ସି/ଏସ୍‌ଟି ବ୍ୟକ୍ତିଙ୍କ ପିଲାମାନେ ଜାତି ସାର୍ଟିଫିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିବା ଘଟଣା ସରକାରଙ୍କ ଦୃଷ୍ଟିକୁ ଆସି ନାହିଁ। ୨୦୧୭ ମସିହାରୁ ବିଦ୍ୟାଳୟଗୁଡ଼ିକରେ ଏସ୍‌ସି/ଏସ୍‌ଟି ପିଲାଙ୍କୁ ଜାତି ସାର୍ଟିଫିକେଟ୍‌ ପ୍ରଦାନ କାର୍ଯ୍ୟ ଚାଲୁ ରହିଛି। ମାହାର(ବାଉଁଶ ଝୁଡ଼ି ତିଆରି କରୁଥିବା ସମ୍ପ୍ରଦାୟ) ଅନୁସୂଚିତ ଜାତି ତାଲିକାରେ କ୍ରମିକ ସଂଖ୍ୟା-୫୯ରେ ସ୍ଥାନିତ ହୋଇଛନ୍ତି। କିନ୍ତୁ ମେହେନ୍ତର ଜାତିକୁ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ୧୯୭୮ ମସିହାରେ କେନ୍ଦ୍ର ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଯାଇଥିଲା। ଏହି ପ୍ରସ୍ତାବକୁ ୨୦୧୪ ମସିହାରେ କେନ୍ଦ୍ର ସରକାର ନାକଚ କରିଦେଇଛନ୍ତି। ରାଜ୍ୟରେ ‘ପ୍ରାଣ’ ଜାତି ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ ନାହିଁ। କିନ୍ତୁ ‘ପାଣ’ ଓ ‘ପାତ୍ରତନ୍ତୀ’ଙ୍କୁ ଅନୁସୂଚିତ ଜାତି ତାଲିକାରେ ସ୍ଥାନ ଦିଆଯାଇଛି। ଲୋହ/ଲୋହାର ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ୧୯୮୫ ମସିହାରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କମାର(ବିନ୍ଧାଣୀ) ସମ୍ପ୍ରଦାୟକମାନେ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ ହେବା ପାଇଁ କେନ୍ଦ୍ର ସରକାର ଯେଉଁ ୫ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି, ତାହା ପୂରଣ ହେଉ ନାହିଁ।

ଅରବିନ୍ଦ ଢାଲି, ବିଷ୍ଣୁ ଚରଣ ସେଠୀ, ତାରାପ୍ରସାଦ ବାହିନୀପତି, ପଦ୍ମନାଭ ବେହେରା, ଶଙ୍କର ଓରାମ, ପ୍ରକାଶ ସୋରେନ୍ ଓ ଭୂପିନ୍ଦର ସିଂହ ଅତିରିକ୍ତ ପ୍ରଶ୍ନ ପଚାରି ନିର୍ଦ୍ଦିଷ୍ଟ ଜାତିକୁ ତୁରନ୍ତ ତାଲିକାଭୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ କାହାକୁ ଅନ୍ତର୍ଭୁକ୍ତ କରାଯିବ, ସେଥି ପାଇଁ ଭାରତ ସରକାରଙ୍କର ଗାଇଡ୍‌ଲାଇନ୍ ରହିଛି। ଏହି ଗାଇଡ୍‌ଲାଇନ୍ ଭିତ୍ତିରେ ବିଭିନ୍ନ ଆବେଦନକୁ ଅନୁଧ୍ୟାନ କରି ଅନୁସୂଚିତ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ୧୬୯ଟି ଜାତିର ନାମକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରାଯାଇଛି। ଏହା କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି। ରାଜ୍ୟ ସରକାର ଏ ସମ୍ପର୍କରେ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।

ମନ୍ତ୍ରୀ ଆହୁରି କହିଥିଲେ ଯେ ଓଡ଼ିଆ ଝିଅ ତଥା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ମହାମହିମ ରାଷ୍ଟ୍ରପତି ହେବେ। ତେଣୁ ଏ ସମ୍ପର୍କିତ ସମସ୍ୟାର ସମାଧାନ ହେବା ପାଇଁ ତାଙ୍କର ଆଶୀର୍ବାଦ ନିଶ୍ଚିତ ରହିବ ବୋଲି ଆଶା।