ନୟାଗଡ଼ : ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ପାଇଁ ରହିଥିବା ବିଭିନ୍ନ ଯୋଜନା ମଧ୍ୟରୁ ମଧ୍ୟାହ୍ନ ଭୋଜନର ଏକ ପ୍ରମୁଖ ଭୂମିକା ରହିଛି। କିନ୍ତୁ ନୟାଗଡ଼ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ ଅନେକ ସ୍କୁଲ୍ରେ ରୋଷେଇ ଘର ନଥିବା ଦେଖାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାରେ ୧୨୦୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ସେଥି ମଧ୍ୟରୁ ୫୫୮ଟି ବିଦ୍ୟାଳୟର ରୋଷେଇ ଘର ଥିବା ବେଳେ ୬୪୮ ବିଦ୍ୟାଳୟର ରୋଷେଇ ଘର ନାହିଁ। ଅର୍ଥାତ୍ ଜିଲ୍ଲାର ଅଧାରୁ ଅଧିକ ବିଦ୍ୟାଳୟରେ ରୋଷେଇ ଘର ନାହିଁ। ରୋଷେଇ ଘର ନଥିବା ବିଦ୍ୟାଳୟରେ କେଉଁଠି ବାରଣ୍ଡାରେ ତ ଆଉ କେଉଁଠି ଗଛ ମୂଳେ ରୋଷେଇ କରାଯାଉଛି। ଅନେକ ସ୍ଥାନରେ ଅବ୍ୟବସ୍ଥିତ ଚାଳ ଘରେ ରୋଷେଇ ଚାଲିଛି। ଅନ୍ୟଦିନେ ଯେକୌଣସି ପ୍ରକାରେ ଭୋଜନ ପ୍ରସ୍ତୁତ ହେଉଥିବା ବେଳେ ବର୍ଷା ଚାରି ମାସ ସମସ୍ୟା ସୃଷ୍ଟି ହେଉଛି।
/sambad/media/post_attachments/wp-content/uploads/2019/09/MIDDAY-f-300x198.jpg)
ରୋଷେଇ ଘର ନଥିବାରୁ ନାରାୟଣୀ ପାଟଣା ନୂତନ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବହୁଦିନ ହେବ ବାରଣ୍ଡାରେ ରୋଷେଇ କରାଯାଉଥିବା ଦେଖାଯାଇଛି। ୮ଟି ବ୍ଲକ୍ ମଧ୍ୟରୁ ରଣପୁର ବ୍ଲକ୍ରେ ସର୍ବାଧିକ ୨୩୨ ବିଦ୍ୟାଳୟ ମଧ୍ୟରୁ ୧୭୨ଟି ସ୍କୁଲ୍ର ରୋଷେଇ ଘର ନାହିଁ। ନୟାଗଡ଼ ବ୍ଲକ୍ରେ ୧୭୩ ବିଦ୍ୟାଳୟ ମଧ୍ୟରୁ ୧୧୦ଟିର ରୋଷେଇ ଗୃହ ନାହିଁ, ଦଶପଲ୍ଲାରେ ୧୫୨ଟି ବିଦ୍ୟାଳୟ ମଧ୍ୟରୁ ୬୨, ଗଣିଆରେ ୬୦ଟି ମଧ୍ୟରୁ ୧୮ଟି, ଖଣ୍ଡପଡ଼ାରେ ୧୩୨ ମଧ୍ୟରୁ ୭୫ଟି, ଭାପୁରରେ ୧୧୮ ମଧ୍ୟରୁ ୭୬ଟି, ଓଡ଼ଗାଁରେ ୧୮୭ ମଧ୍ୟରୁ ୬୬ଟି, ନୂଆଗାଁରେ ୧୫୨ ବିଦ୍ୟାଳୟ ମଧ୍ୟରୁ ୬୯ଟି ବିଦ୍ୟାଳୟର ରୋଷେଇ ଘର ନାହିଁ। ଅନେକ ବିଦ୍ୟାଳୟ ପାଇଁ ରୋଷେଇ ଘର ନିର୍ମାଣ ଲାଗି ଅର୍ଥ ମଞ୍ଜୁର ହୋଇଥିବା ବେଳେ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅସହଯୋଗ ପାଇଁ ଏହା ନିର୍ମାଣ ହୋଇପାରୁନି। ଆଉ କେଉଁଠି ବର୍ଷ ବର୍ଷ ଧରି ଅଧାପନ୍ତରିଆ ଭାବେ ପଡ଼ିରହିଛି। ଅନେକ ସ୍କୁଲ୍ରେ ଜାଗା ସମସ୍ୟା ନେଇ ମଧ୍ୟ ଗୃହ ନିର୍ମାଣ ଅଟକି ରହିଛି।
/sambad/media/post_attachments/wp-content/uploads/2019/09/TH15MIDDAYMEALS-300x230.jpg)
ପରିତ୍ୟକ୍ତ ସ୍ଥାନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କାରଣରୁ ଅନେକ ସମୟରେ ଖାଦ୍ୟରୁ ପୋକ, ମାଛିଠାରୁ ଆରମ୍ଭ କରି ଅନେକ ଅନାବନା ଜିନିଷ ବାହାରିଥିବାର ନଜିର ରହିଛି। ଏଭଳି ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ମଧ୍ୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଯେଭଳି ବ୍ୟବସ୍ଥିତ ଢଙ୍ଗରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଦିଆଯାଇ ପାରିବ ସେଥିନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।