ୟୁକ୍ରେନରେ ଫସିଛନ୍ତି ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଛାତ୍ରୀ

ସମ୍ବଲପୁର : ଯୁଦ୍ଧ ପରିସ୍ଥିତି ଯୋଗୁଁ ୟୁକ୍ରେନରେ ଆତଙ୍କର ବାତାବରଣ ରହିଥିବାବେଳେ ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି। ଏମାନଙ୍କର ଅଭିଭାବକମାନେ ଏଠାରେ ଆଶା-ଆଶଂକା ମଧ୍ୟରେ ରହି ନିଜ ପିଲାଙ୍କୁ ଫେରାଇ ଆଣିବା ପାଇଁ ପ୍ରଶାସନ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସମ୍ବଲପୁର ଜିଲ୍ଲାର ସର୍ବାଧିକ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ଜଣାଯାଇଛି। ଏଯାଏ ମିଳିଥିବା ସୂଚନା ଅନୁସାରେ, ଏମାନଙ୍କ ମଧ୍ୟରୁ କେବଳ ସମ୍ବଲପୁର ମହାନଗର ଅଂଚଳରେ ରହିଛନ୍ତି ପ୍ରାୟ ୪ ଜଣ ଛାତ୍ରଛାତ୍ରୀ। ସ‌ମସ୍ତେ ଡାକ୍ତରୀ ପଢ଼ୁଛନ୍ତି। ବିଜେଡି ନେତା ମହମ୍ମଦ ଅଜିମ୍ ଅଜୁଙ୍କ ପୁଅ ଜାକି ଉଜ୍ ଜାମନ ୟୁକ୍ରେନର ରାଜଧାନୀ କ୍ବିଭରେ ଥିବା ନେସ୍‌ନାଲ ୟୁନିଭସିର୍ଟି ଅଫ୍ ମେଡିକାଲ୍‌ ସାଇନ୍‌ସରେ ଅଧ୍ୟୟନ କରୁଛନ୍ତି। ସେହିପରି ବୁର୍ଲା ଏମ୍‌ସିଏଲ୍‌ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ରଶ୍ମିତା ମିଶ୍ରଙ୍କ ଝିଅ ଆୟୁଷା ଶତପଥୀ ମଧ୍ୟ ୟୁକ୍ରେନରେ ଅଛନ୍ତି।

ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଅଞ୍ଚଳର ୭ ଜଣ ଓ ବ୍ରଜରାଜନଗରରୁ ୩ ଜଣ ପିଲା ଏବେ ୟୁକ୍ରେନ୍‌ରେ ଫସିଛନ୍ତି। ଏହି ୧୦ ଜଣ ପିଲା ୟୁକ୍ରେନସ୍ଥିତ ଭି ଏନ୍ କାରାଜିନ୍ ୟୁନିଭର୍‌ସିଟିରେ ମେଡିକାଲ ପଢ଼ୁଛନ୍ତି। ସେମାନେ ହେଲେ ସ୍ମୃତିଶିକ୍ତା ବେହେରା, ସୁଶ୍ରୀ ସ୍ବାଗତିକା ନାଏକ, ଭାବନା ସଂହଦେଓ, ଅକ୍ଷୟ ସିଂହଦେଓ, ସୋନାଲି ତ୍ରିପାଠୀ, ରଂଜିତା ପ୍ରଧାନ, ଦେବୀ ପ୍ରସାଦ ସାହୁ ଓ ହରପ୍ରସାଦ ସାହୁ।

ସେହିପରି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଜଣେ ଡାକ୍ତରୀ ଛାତ୍ର ସାଇସ୍ବରୂପ ତ୍ରିପାଠୀଙ୍କ ପାଇଁ ତାଙ୍କ ପରିବାର ଲୋକେ ଚିନ୍ତିତ ଅବସ୍ଥାରେ ରହିଛନ୍ତି। ଟିଟିଲାଗଡ଼ ହାଟପଦାପଡ଼ାର ପାଣ୍ଡବ ତ୍ରିପାଠୀଙ୍କ ପୁଅ ସାଇସ୍ୱରୂପ ୟୁକ୍ରେନର ଖିରକିଭେ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଏମ୍‌ବିବିଏସ୍‌ ଶେଷବର୍ଷର ଛାତ୍ର ଅଟନ୍ତି।

ସମ୍ବନ୍ଧିତ ଖବର