ସରକାରୀ ଇଞ୍ଜିନିୟରିଂ କଲେଜରେ ବହୁ ପଦ ଖାଲି

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ସରକାରୀ ଇଞ୍ଜିନିୟରିଂ କଲେଜ ଓ ଡିପ୍ଲୋମା ଅନୁଷ୍ଠାନଗୁଡ଼ିକରେ ବହୁ ଶିକ୍ଷକ, ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ସିଇଟି ପରି ଆଗ ଧାଡ଼ିର ଇଞ୍ଜିନିୟରିଂ କଲେଜରେ ଅଧାରୁ ଅଧିକ ଶିକ୍ଷକ ପଦବି ଖାଲି ପଡ଼ିଛି। ଖୋଦ୍ ବିପିୟୁଟିରେ ମଧ୍ୟ ଅର୍ଦ୍ଧାଧିକ ଶିକ୍ଷକ ପଦବି ଖାଲି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଦେଇଥିବା ତଥ୍ୟରୁ ଏହି ସୂଚନା ମିଳିଛି।

ବିପିୟୁଟିରେ ୫ଟି ମଞ୍ଜୁରିପ୍ରାପ୍ତ ପ୍ରଫେସର ପଦବି ଥିଲା ବେଳେ ସେଥିରୁ ୪ଟି ଖାଲି ଅଛି। ୧୫ ଆସୋସିଏଟ୍‌ ପ୍ରଫେସର ପଦବିରୁ ୧୩ ଓ ୫ ଆସି‌ଷ୍ଟାଣ୍ଟ୍ ପ୍ରଫେସର ପଦବି ମଧ୍ୟରୁ ୨ଟି ଖାଲି ଅଛି। ସିଇଟିରେ ଆହୁରି ସାଂଘାତିକ ଅବସ୍ଥା। ୨୨ଟି ପ୍ରଫେସର ପଦବିରୁ ୧୬ଟି ଖାଲି ଅଛି। ୬୯ ଆସୋସିଏଟ୍‌ ପ୍ରଫେସର ପଦବି ଥିଲା ବେଳେ କାର୍ଯ୍ୟରତ ଅଛନ୍ତି ମାତ୍ର ୯ ଜଣ। ଏଠାରେ ୯୨ଟି ଆ‌ସିଷ୍ଟାଣ୍ଟ୍‌ ପ୍ରଫେସର ପଦବିରୁ ୭ ଖାଲି ଅଛି। ଏହା ବାଦ୍ ବ୍ରହ୍ମପୁରର ପିଏମ୍‌ଇସି, କେନ୍ଦୁଝରର ଜିସିଇ, କଳାହାଣ୍ଡିର ଜିସିଇ ଏବଂ କଟକର ଆଇଏମ୍‌ଆଇଏଟି‌େର ମୋଟ୍‌ ୨୩ ପ୍ରଫେସର ପଦବିରୁ ୧୯, ୬୦ ଆସୋସିଏଟ୍‌ ପ୍ରଫେସର ପଦବିରୁ ୪୪ ଏବଂ ୧୭୦ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବିରୁ ୬୨ ଖାଲି ଅଛି। ଅଣଶିକ୍ଷକ ପଦବି କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ବିପିୟୁଟିରେ ୫୮ ମଞ୍ଜୁରିପ୍ରାପ୍ତ ଅଣଶିକ୍ଷକ ପଦବି ମଧ୍ୟରୁ ୨୪ଟି ଖାଲି ପଡ଼ିଛି। ସିଇଟିରେ ୯୬ ପଦବିରୁ ୩୪, ବ୍ରହ୍ମପୁର ପିଏମ୍‌ଇସିରେ ୧୩ ପଦବିରୁ ୧୨, କେନ୍ଦୁଝର ଜିସିଇରେ ୨୯ ପଦବିରୁ ୧୯, କଳାହାଣ୍ଡି ଜିସିଇ‌େର ୧୩ ପଦବିରୁ ୧୦ ଏବଂ କଟକ ଆଇଏମ୍‌ଆଇଟିରେ ୧୮ ମଞ୍ଜୁରିପ୍ରାପ୍ତ ପଦବିରୁ ୮ଟି ଖାଲି ପଡ଼ିଛି।

ସରକାରୀ ଡିପ୍ଲୋମା ଅନୁଷ୍ଠାନଗୁଡ଼ିକରେ ମଧ୍ୟ ବହୁ ଅଧ୍ୟାପକ ପଦବି ଖାଲି ପଡ଼ିଛି। ମୋଟ୍‌ ୩୨ଟି ସରକାରୀ ଡିପ୍ଲୋମା ଅନୁ‌ଷ୍ଠାନରେ ୨୨୧ ମଞ୍ଜୁରିପ୍ରାପ୍ତ ବରିଷ୍ଠ ଅଧ୍ୟାପକ ପଦବିରୁ ୧୭୭ ଖାଲି ପଡ଼ିଛି। ୫୭୨ ଅଧ୍ୟାପକ ପଦବିରୁ ୬୩ ଖାଲି ଅଛି। ଏହି ଡିପ୍ଲୋମା ଅନୁଷ୍ଠାନଗୁଡ଼ିକରେ ୨୩୭ ଟେକ୍ନିକାଲ୍‌ ଷ୍ଟାଫ୍‌ ପଦବିକୁ ସରକାର ମଞ୍ଜୁରି ଦେଇଥିଲା ବେଳେ କାମ କରୁଛନ୍ତି ମାତ୍ର ୧୦୧ ଜଣ। ଅର୍ଥାତ ୧୩୬ଟି ପଦବି ଖାଲି ପଡ଼ିଛି।

ତେବେ ଖାଲି ପଦବି ପୂରଣ ନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କିତ ଶ୍ରୀ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଖାଲି ଥିବା ଅଧ୍ୟାପକ ଓ ଇନ୍‌ଷ୍ଟ୍ରକ୍ଟର୍‌ ପଦବି ପୂରଣ ନିମନ୍ତେ ସରକାର ଅନୁମି ପ୍ରଦାନ କରିଛନ୍ତି ଓ ଡିପ୍ଲୋମା ଅନୁଷ୍ଠାନରେ ଖାଲି ଥିବା ଅଧ୍ୟାପକ ପଦବି ପୂରଣ ନିମନ୍ତେ ସରକାର ପଦକ୍ଷେପ ନେଉଛନ୍ତି। ଡିପ୍ଲୋମା ଅନୁଷ୍ଠାନରେ ଖାଲି ଥିବା ଇନ୍‌ଷ୍ଟ୍ରକ୍ଟର୍‌ ପଦ ପୂରଣ ନିମନ୍ତେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍ କମିସନ୍‌ଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର