ଦଶପଲ୍ଲା ବନାଞ୍ଚଳରୁ ଦୈନିକ କଟା ଚାଲିଛି ବହୁ ମୂଲ୍ୟବାନ ଗଛ, ମାଫିଆଙ୍କ ଟେର୍ ପାଉନି ବନ ବିଭାଗ

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳରୁ ଦୈନିକ କଟା ଚାଲିଛି ଶାଳ ଓ ଶାଗୁଆନ ଭଳି ବହୁ ମୂଲ୍ୟବାନ ଗଛ। ଘଞ୍ଚ ଜଙ୍ଗଲ ନୁହେଁ, ବନ କର୍ମଚାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ଭଳି ବିଭିନ୍ନ କାର୍ଯ୍ୟାଳୟ ନିକଟରୁ କଟାଯାଉଛି ବିଶାଳକାୟ ଗଛ। ହେଲେ ମାଫିଆଙ୍କ ଟେର୍ ପାଉନି ବନ ବିଭାଗ। ଯାହାକୁ ନେଇ କିଛି ଦିନ ତଳେ ଟାକରା ସେକ୍ସନ ହାଉସଠାରୁ ମାତ୍ର କିଛି ଦୂରରେ ଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଡ଼ରୁ କଟାଯାଇଥିବା ଏହି ଗଛ ବନପାଳଙ୍କ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମାଫିଆମାନେ ଏସବୁ ଗଛର ଗଣ୍ତିକୁ କାଟି ନେଇଯିବା ପରେ ଡାଳପତ୍ର ଗୋଟାଇ କଟା ଯାଇଥିବା ଗଛକୁ ଜବତ କରିଥିବା ନେଇ ବାହାବା ମାରୁଛନ୍ତି କର୍ମଚାରୀ। ଏସବୁ ଗଣ୍ତିଗୁଡ଼ିକୁ କଟକ ଜିଲ୍ଲା ନରସିଂହପୁର ହେଉ କି କନ୍ଧମାଳ ଜିଲ୍ଲାକୁ ଚାଲାଣ କରାଯାଉଥିବା କୁହାଯାଉଛି। ରାଜପଥ ଦେଇ ଟ୍ରିପ୍ ଟ୍ରିପ୍ କାଠ ଚାଲାଣ କରାଯାଉଛି। କାଠ ଚାଲାଣ ପୂର୍ବରୁ ବନ ବିଭାଗର ଗତିବିଧି ସମ୍ପର୍କରେ ସବିଶେଷ ସୂଚନା ମାଫିଆଙ୍କ ନିକଟରେ ଅତି ସହଜରେ ପହଞ୍ଚି ପାରୁଥିବା ବେଳେ ବନ ବିଭାଗ କିନ୍ତୁ ସେମାନଙ୍କ ସୂଚନା ପାଇପାରୁନି। ନିର୍ଦ୍ଦିଷ୍ଟ କିଛି କର୍ମଚାରୀଙ୍କ ପାଇଁ ବିଭିନ୍ନ ସମୟରେ ବନ ବିଭାଗକୁ ଅପବାଦର ବୋଝ ମୁଣ୍ତାଇବାକୁ ପଡ଼ୁଛି। ବାପପୁଅ ରାତି ଅନିନ୍ଦ୍ରା ନ୍ୟାୟରେ ପାଟ୍ରୋଲିଂ ହେଉଛି ସତ, ହେଲେ ବନ ବିଭାଗକୁ ସେଭଳି ବଡ଼ ଧରଣର ସୁଫଳ ମିଳିବା କଷ୍ଟସାଧ୍ୟ ହୋଇପଡ଼ୁଛି।

 

ଦିନକୁ ଦିନ ଲଣ୍ତା ହୋଇ ଚାଲିଛି ଦଶପଲ୍ଲାର ଘଞ୍ଚ ଅରଣ୍ୟ କୁହାଯାଉଥିବା ଟାକରା ସମେତ ପୋଖରୀଗୋଛା ଏବଂ ଚଡ଼େୟାପଲ୍ଲୀ ସେକ୍ସନ। କାଁଭାଁ ସମୟକୁ ଛାଡ଼ିଦେଲେ ଅଧିକାଂଶ ସମୟ ବନ କର୍ମଚାରୀମାନେ ନିଜ ନିଜ ସେକ୍ସନ ହାଉସରେ ନ ରହି ଦଶପଲ୍ଲାରେ ଘର ଭଡ଼ା ନେଇ ରହୁଥିବା ଅଭିଯୋଗ ହେଉଛି। ସଂପୃକ୍ତ ଅଞ୍ଚଳରେ ଯେଉଁଭଳି ପାଟ୍ରୋଲିଂ ବ୍ୟବସ୍ଥା କରାଯିବା କଥା ତାହା ମଧ୍ୟ କରାଯାଉନାହିଁ। ଧ୍ବଂସାଭିମୁଖୀ ହୋଇ ଚାଲିଥିବା ଜଙ୍ଗଲର ସୁରକ୍ଷା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ବିଶେଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର