ପତିତପାବନ ସାହୁ

Advertisment

ଅନୁଗୁଳ: ସାତକୋଶିଆ ଜଙ୍ଗଲରେ ଥିବା ପୁରୁଣାକୋଟ ଗାଁକୁ ବିସ୍ଥାପିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଦୁଇ ଦିନ ତଳେ ହୋଇଥିବା ପଲ୍ଲୀସଭାରେ ଅଧିକାଂଶ ଗ୍ରାମବାସୀ ଗାଁ ଛାଡ଼ିବା ପାଇଁ ରାଜି ହୋଇଛନ୍ତି। ଏପ‌ଟେ ମଝିପଡ଼ା, ଛୋଟକେଇ ଓ ସାଲୋର ଗାଁର କିଛି ଲୋକ ସେମାନଙ୍କୁ ବିସ୍ଥାପିତ କରିବା ପାଇଁ ବନ ବିଭାଗ ପାଖରେ ଆବେଦନ କରିଛନ୍ତି। ଏଣୁ ଅଳ୍ପ କିଛି ଦିନ ଭିତରେ ଏମିତି ଏକାଧିକ ଗାଁ ହଜିଯିବା ନିଶ୍ଚିତ ହୋଇଯାଇଛି। 

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ କାର୍ଯ୍ୟକ୍ଷମ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ବାହାର ରାଜ୍ୟରୁ ମହାବଳ ବାଘ ଆଣି ଛାଡ଼ିବେ। ଏହାକୁ ଦୃଷ୍ଟିରେ ରଖି ସାତକୋଶିଆର କୋର୍‌ ଅଞ୍ଚଳ ବଢ଼ାଇବାକୁ ପ୍ରକ୍ରିୟା ଚାଲିଛି। ପ୍ରକଳ୍ପ ପାଖାପାଖି ଗାଁଗୁଡ଼ିକୁ ବିସ୍ଥାପନ କରାଯାଉଛି। ଆଗରୁ କଟରଙ୍ଗ, ଅସନବାହାଳ, ଟୁଲୁକା, ଭୁରୁକୁଣ୍ଡି ଓ ରାଇଗୁଡ଼ା ଗାଁ ଉଠି ଯାଇଛି। ଏବେ ଟିକରପଡ଼ା ଓ ଗୋପାଳପୁର ଗାଁ ବିସ୍ଥାପନ  ପ୍ରକ୍ରିୟା ଚାଲିଛି। ଏହା ପରେ ପୁରୁଣାକୋଟ୍‌ ପାଳି ପଡ଼ିବ। ସୋମବାର ଗାଁରେ ପଲ୍ଲୀସଭା ବସିଥିଲା। ଭିଟାମାଟି ଛାଡ଼ିବା ନିଷ୍ପତ୍ତିରେ ଅଧିକାଂଶ ଲୋକେ ହଁ ଭରିଛନ୍ତି। କାଁ, ଭାଁ ବିରୋଧ ହୋଇଛି। ସୂଚନା ଅନୁସାରେ, ପଲ୍ଲୀସଭା ପରେ ଗାଁ ଛାଡ଼ିବା ପାଇଁ ଚାହୁଥିବା ଲୋକମାନେ ବନ ବିଭାଗ ପାଖରେ ଦରଖାସ୍ତ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ପରେ ସର୍ଭେ କରି କ୍ଷତିପୂରଣ ପ୍ରଦାନ କରାଯିବ। ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ପରେ ଲୋକମାନେ ଗାଁ ଛାଡ଼ିବେ। ଅପରପକ୍ଷରେ ମଝିପଡ଼ା, ଛୋଟକେଇ ଓ ସାଲୋର ଗାଁରୁ କିଛି ଲୋକ ବିସ୍ଥାପିତ ହେବା ପାଇଁ ବନ ବିଭାଗ ପାଖ‌ରେ ଆବେଦନ କରିଛନ୍ତି। ଏନେଇ ସରକାରଙ୍କୁ ଅବଗତ କରାଯିବ। ତେବେ ଜଙ୍ଗଲ ଭିତରେ ଥିବା ଗଇଁଦି ଓ ବେହେରାସାହି ଗାଁକୁ ବିସ୍ଥାପନ କରିବା ନେଇ କୌଣସି ନିଷ୍ପତ୍ତି ହୋଇନି। ୧୧୩୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ରହିଥିଲା ଏହି ଗାଁଗୁଡ଼ିକ ଉଠିଗଲେ ପ୍ରାୟ ୮ଶହ କିଲୋମିଟର ଅଞ୍ଚଳ ମଣିଷଶୂନ୍ୟ ହୋଇଯିବ।

ବ୍ୟାଘ୍ର ପ୍ରକଳ୍ପ ପାଇଁ ଏହା ବେଶ୍‌ ସହାୟକ ହେବ ବୋଲି ବନ ବିଭାଗ ଆଶା ରଖିଛି। ପୂର୍ବରୁ ବନ ବିଭାଗ ପକ୍ଷରୁ ବାହାର ରାଜ୍ୟରୁ ଦୁଇଟି ବାଘ ଆଣି ସାତକୋଶିଆରେ ଛଡ଼ା ଯାଇଥିଲା ବେଳେ ସେଥିରୁ ଗୋଟିଏ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିଲା। ଆଉ ଗୋଟିଏ ବାଘ ଜନବସତି ପାଖକୁ ଆସି ଲୋକଙ୍କୁ ଆକ୍ରମଣ କଲା। ଏଣୁ ବାଘକୁ ଫେରାଇ ନେବାକୁ ବନ ବିଭାଗ ବାଧ୍ୟ ହୋଇଥିଲା। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ ସରୋଜ ପଣ୍ଡା କହିଛନ୍ତି, ବିସ୍ଥାପନ ପାଇଁ ଲୋକମାନେ ଆବେଦନ କରିବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବନ ବିଭାଗ ପକ୍ଷରୁ କାହାକୁ ଜୋର୍‌ କରି ବିସ୍ଥାପିତ କରିବାର ‌ଯୋଜନା ନାହିଁ।