ପାଣ୍ଡିଆନଙ୍କର ଅନେକ ଫଟୋ ତ ବିଭିନ୍ନ କାଗଜରେ ବାହାରୁଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଛାଇଯାଉଛି। ତେବେ ତାଙ୍କର ଯୋଉ ଫଟୋଟିକୁ ନେଇ ନିକଟ ଅତୀତରେ ଲୋକେ ଆମୋଦିତ ହୋଇଛନ୍ତି, ତାହା ହେଲା ସବୁଜ କନାରେ ସଜାହୋଇଥିବା ବ୍ୟାରିକେଡ୍କୁ ପଛ କରି ସେ ଅଧା ଆଣ୍ଠେଇ ଛିଡ଼ାହେବା ଓ ତାଙ୍କ ପଛପଟଟେ କିଛି ଏସ୍ଏଚ୍ଜି ମହିଳା ବ୍ୟାରିକେଡ୍ ଉପରୁ ମୁହଁରେ ଓହଳି ହସହସ ମୁହଁରେ ତାଙ୍କ ସହ ଫଟୋ ପାଇଁ ପୋଜ୍ ଦେବା। ଶିରୋନାମାରେ କେବଳ ‘ଅର୍ଦ୍ଧଗେଣ୍ଡାସନ’ ଲେଖି ମୂଳରୁ ହିଁ ଟ୍ବିଟ୍ଟିରେ ପାଣ୍ଡିଆନଙ୍କୁ କଟାକ୍ଷ କରିଛନ୍ତି ହେଇଟି ଭାଇନା @heitibhaina ନାମରେ ହ୍ୟାଣ୍ଡଲ୍ ଚଲାଉଥିବା ଜଣେ ବ୍ୟକ୍ତି। ତା’ପରେ ଅନେକ ଅଶାଳୀନ ଏପରିକି ଦ୍ବିଅର୍ଥବୋଧକ, ଅଶ୍ରାବ୍ୟ ମତମନ୍ତବ୍ୟରେ ଭର୍ତ୍ତି ହୋଇଯାଇଛି ପୋଷ୍ଟଟି ଯୋଉଗୁଡ଼ିକ କି ଆଦୌ ପ୍ରକାଶଯୋଗ୍ୟ ନୁହେଁ। କିଏ ସାରଥୀ ବାବା କହିଲାଣି ତ ଆଉ ପୁଣି କିଏ ୟା’ଠାରୁ ଆହୁରି ଜଘନ୍ୟ ବିଚାର ରଖିଲାଣି।
ଏଗୁଡ଼ିକ ଛଡ଼ା, ପୋଷ୍ଟଟିରେ ଥିବା କିଛି ପ୍ରକାଶଯୋଗ୍ୟ ପ୍ରତିକ୍ରିୟା ହେଲା: ବୋଧେ ରଜନୀକାନ୍ତଙ୍କଠାରୁ ମଧ୍ୟ ତାଙ୍କର ଅଧିକ କ୍ରେଜ୍ ଅଛି, ନହେଲେ ବିଜେଡି ମହିଳାମାନେ ଏମିତି ଫଟୋ ପାଇଁ ପ୍ରତିଦ୍ବନ୍ଦ୍ବିତା କରନ୍ତେ! ଘୋର କଳିଯୁଗ! ‘ଶିଷ୍ଟାଚାରରହିତ ଏହି ଫଟୋଟିକୁ ନବୀନବାବୁ ଦେଖିଲେଣି ନା’ ବୋଲି ପ୍ରଶ୍ନ କରିଛନ୍ତି ଜଣେ। ଏହାକୁ ଅର୍ଦ୍ଧପାଣ୍ଡୁଆସନ ବୋଲି କହି କେହି ଥଟ୍ଟା କଲାଣି ତ ପୁଣି କିଏ କିଷନ୍ କନ୍ହେୟା କହିଲାଣି। ଆଉ ପୁଣି କିଏ ପ୍ରସିଦ୍ଧ ଆପ୍ତବାକ୍ୟ ‘ଚାରୋଁ ତରଫ୍ ଗୋପୀୟା...’ ବୋଲି ଲେଖିଲାଣି। ଜଣେ ‘କଳି ଯୁଗର କୃଷ୍ଣ’ କହିବାରୁ ଆଉ ଜଣେ ‘କଳି ଯୁଗର କୃଷ୍ଣ ନୁହେଁ, ସେ କେନ୍ଦ୍ରାପଡ଼ାର ମାନ୍ୟବର’ ବୋଲି ଲେଖିଲେ। ତାଙ୍କୁ ମଜାରେ ଏମିତି ମଧ୍ୟ କୁହାଯାଇଛି, ‘‘ଜ୍ୱାଇଁ ଯଦି ଏପରି ହେଲେଣି ଅପାକୁ କହିବାକୁ ପଡ଼ିବ, ପାଟେଣ୍ଟ ମେଡିସିନ ରେଡି କରି ରଖିଥିବ।’’