ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ‌ଦାନ୍ତେୱାଡ଼ାରେ ବଡ଼ଧରଣର ହମ୍‌ଲା କରିଛନ୍ତି ମାଓବାଦୀ। ଅରନପୁର ଅଞ୍ଚଳରେ ମାଓବାଦୀମାନେ ଆଜି ବିସ୍ଫୋରଣ କରି ଡିଆର୍‌ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନଙ୍କୁ ନେଇ ଫେରୁଥିବା ଗାଡ଼ିକୁ ଉଡ଼ାଇ ଦେଇଛନ୍ତି। ଘଟଣାସ୍ଥଳରେ ୧୦ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ବେସରକାରୀ ଗାଡ଼ି ଚାଳକ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ବିସ୍ଫୋରଣର ତୀବ୍ରତା ଏତେ ପ୍ରଚଣ୍ଡ ରହିଥିଲା ଯେ, ଗାଡ଼ି ପ୍ରାୟ ୨୦ଫୁଟ ଉପରକୁ ଉଠି ଛିନ୍‌ଛତ୍ର ହୋଇଯାଇଥିଲା। ଅରନପୁର ଅଞ୍ଚଳରେ ମ‌ାଓବାଦୀଙ୍କ ଗତିବିଧି ନେଇ ସୂଚନା ପାଇ ଡିଆରଜି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କିନ୍ତୁ ଏହି ଖବର ମାଓବାଦୀ ଶିବିରରେ ପହଞ୍ଚି ଯାଇଥିଲା। ତେଣୁ ଆକ୍ରମଣ ପାଇଁ ଯୋଜନା କରି ଫେରିବା ବାଟରେ ଆମ୍ବୁସ୍‌ ଲଗାଇ ରହିଥିଲେ। ଗାଡ଼ି ଭଡ଼ା କରି ଯବାନମାନେ ଫେରିବା ସମୟରେ ଅରନପୁର-ସମେଲି ରାସ୍ତାରେ ମାଓବାଦୀ ବଡ଼ଧରଣର ବିସ୍ଫୋରଣ କରିଥିଲେ। ଘଟଣାସ୍ଥଳରେ ହିଁ ହେଡ୍‌ କନେଷ୍ଟବଳ ଜୋଗା ସୋଢ଼ୀ, ମୁନାରାମ କଡତୀ, ସନ୍ତୋଷ ତାମୋ, କନେଷ୍ଟବଳ ଦୁଗୋ ମଣ୍ଡାବୀ, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବୀ, ଯବାନ ରାଜୁରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ସହିଦ ହୋଇଯାଇଥିଲେ। ଗାଡ଼ି ଚାଳକ ଧନୀରାମ ଯାଦବଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

Advertisment

ସୁନିୟୋଜିତ ଆକ୍ରମଣ ପାଇଁ ମାଓବାଦୀ ପ୍ରାୟ ୫୦କିଲୋ ବିସ୍ଫୋରକ (ଆଇଇଡି) ବ୍ୟବହାର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାସ୍ଥଳରେ ବିରାଟ ଗାତ ହୋଇଥିବା ବେଳେ ଯବାନଙ୍କୁ ନେଇ ଆସୁଥିବା ଗାଡ଼ି ଚୂରମାର ହୋଇ କିଛି ମିଟର ଦୂରରେ ଯାଇ ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ଅତିରିକ୍ତ ଫୋର୍ସ ପହଞ୍ଚିଛନ୍ତି। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ମାଓ ବିରୋଧୀ ଅପରେସନ ପୁଣି ଆରମ୍ଭ ହୋଇ ସାରିଥିବା ଆଇଜି ସୁନ୍ଦରରାଜ ପି. ସୂଚନା ଦେଇଛନ୍ତି। ଘଟଣା ଘଟାଇ ମାଓବାଦୀ ଓଡ଼ିଶାରେ ପଶିବାରେ ଯଥେଷ୍ଟ ସମ୍ଭାବନା ରହିଥିବାରୁ ସୀମାନ୍ତ ଜିଲ୍ଲା କୋରାପୁଟ ନବରଙ୍ଗପୁର ଓ ମାଲକାନଗିରିରେ ହାଇଆଲର୍ଟ ଜାରି କରାଯାଇଛି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗଭୀର ଶୋକ ପ୍ରକାଶ କରିବା ସହ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି। ମାଓବାଦୀଙ୍କ ବିରୋଧରେ ସଂଗ୍ରାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ମାଓବାଦୀ ମୂଳପୋଛ ହୋଇଯିବେ ବୋଲି ପ୍ରକାଶ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଶୋକ ପ୍ରକାଶ କରି ଘଟଣା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ବାଘେଲଙ୍କ ସହ କଥା ହୋଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆକ୍ରମଣକୁ କଡା ନିନ୍ଦା କରିବା ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବଳିଦାନ ସର୍ବଦା ସ୍ମରଣୀୟ ରହିବ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୧ ମସିହାରେ ସୁକମା ଜିଲ୍ଲାରେ ଅନୁରୂପ ହିଂସାକାଣ୍ଡରେ ୨୨ଜଣ ଯବାନ ସହିଦ ହୋଇଥିଲେ।