ସୀମାନ୍ତରେ ମାତିଲେ ନକ୍ସଲ : ବିସ୍ଫୋରଣ କରି କୋଠା ଉଡ଼ାଇଲେ

ରାଉରକେଲା : ଓଡ଼ିଶା ସୀମାଠାରୁ ମାତ୍ର ୪୦ କିଲୋମିଟର ଦୂରତାରେ ଥିବା ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ଥାନା ଅଞ୍ଚଳରେ ନକ୍ସଲମାନେ ପୁଣି ମାତିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ଆହ୍ବାନ କରିବା ସହ ବନ ବିଭାଗର ନିର୍ମାଣାଧୀନ କୋଠାକୁ ବିସ୍ଫୋରଣ କରି ଉଡ଼ାଇଦେଇଛନ୍ତି। ସୀମାନ୍ତରେ ନକ୍ସଲ ଉତ୍ପାତକୁ ଆଖିରେ ରଖି ଓଡ଼ିଶା ସୀମାରେ କମ୍ବିଂ ଅପରେସନକୁ ବ୍ୟାପକ କରାଯାଇଛି।

ଗତକାଲି ରାତି ପ୍ରାୟ ୧୧ଟାରେ ୧୦/୧୨ ଜଣ ସଶସ୍ତ୍ର ନକ୍ସଲ ବାଇକରେ ଗୋଇଲକେରା ଥାନା ଅନ୍ତର୍ଗତ ଡେରୁଆ, କୁଇଡ଼ା ଅଞ୍ଚଳରେ ପହଞ୍ଚିଥିଲେ। କୁଇଡ଼ା ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଏକ କୋଠାକୁ ବିସ୍କୋରଣ କରି ଉଡ଼ାଇଦେଇଥିଲେ। ଏତଦ୍‌ବ୍ୟତୀତ ସେଠାରେ ଥିବା ବନବିଭାଗର ଆଉ ଏକ ପୁରୁଣା ଘରକୁ ମଧ୍ୟ ସମାନ ଢ଼ଙ୍ଗରେ ଉଡ଼ାଇଦେଇଥିଲେ। ଏହାସହ ସେମାନେ ଡେରୁଆ ରେଳ ଷ୍ଟେସନ ପାଖରେ ଆଗାମୀ ଲୋକସଭା ନିର୍ବାଚନ ବର୍ଜନ କରିବାକୁ ପୋଷ୍ଟର ମାଧ୍ୟମରେ ଆହ୍ବାନ କରିଛନ୍ତି। ଡେରୁଆର ବିଭିନ୍ନ ସ୍ଥାନରେ ନକ୍ସଲମାନେ ପୋଷ୍ଟର ଲଗାଇ ‘ଅପ‌ରେସନ ଗ୍ରୀନ ହଣ୍ଟ୍‌’ ଓ ‘ମିଶନ ଅପରେସନ’ ବନ୍ଦ କରିବା, ଜାଲ୍‌ ଏନକାଉଣ୍ଟର୍‌ରେ ଜଡ଼ିତ ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ପୋଷ୍ଟରରେ ଲୋକଙ୍କୁ ଆହ୍ବାନ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ଏହି ଧମକକୁ ପଶ୍ଚିମ ସିଂହଭୂମ ପୁଲିସ ଗୁରୁତ୍ବର ସହ ନେଇ ଛାନଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର