ଉର୍ଲାଦାନୀ ନୂଆମୁଣ୍ଡାରେ ଲାଲ ବାହିନୀର ତାଣ୍ଡବ, ଜେସିବି, ଟ୍ରାକ୍ଟର ପୋଡ଼ିଲେ

ମ.ରାମପୁର : କଳାହାଣ୍ଡି ଜିଲ୍ଲାରେ ପୁଣି ମାତିଛନ୍ତି ମାଓବାଦୀ। ମ. ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ପଂଚାୟତର ନୂଆମୁଣ୍ଡାରେ ଲାଲ ବାହିନୀ ତରଫରୁ ବ୍ୟାପକ ପୋଡ଼ାଜଳା କରାଯାଇ ମାଓ ପୋଷ୍ଟର ଲଗାଯାଇଛି। ଏକ ଠିକା ସଂସ୍ଥାର କ୍ୟାମ୍ପରେ ରାତି ଅଧରେ ଆକ୍ରମଣ କରି ମାଓବାଦୀମାନେ ସେଠାରେ ଥିବା ଜେସିବି, ଟ୍ରାକ୍ଟର ଆଦିକୁ ପୋଡ଼ି ଦେଇଛନ୍ତି। ଏହି ଘଟଣା ପରେ ଅଞ୍ଚଳବାସୀ ପୁଣି ଆତଙ୍କିତ ହୋଇପଡ଼ିନ୍ତି।

ପ୍ରକାଶ ଯେ, ଉର୍ଲାଦାନୀଠାରୁ ମୁଣ୍ଡାମସ୍କା (ଲୁବେନଗଡ଼) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାମ ଚାଲିଛି। ଏହି କାମ କରୁଥିବା ମେସର୍ସ ଆରତୀ ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ଼ ନାମକ ଠିକା ସଂସ୍ଥାର କ୍ୟାମ୍ପ ନୂଆମୁଣ୍ଡାଠାରେ ରହିଛି। ମଙ୍ଗଳବାର ରାତି ପ୍ରାୟ ୧୨ଟା ପରେ ୩୦-୪୦ଜଣ ସଶସ୍ତ୍ର ମାଓବାଦୀ କ୍ୟାମ୍ପ ଭିତରକୁ ପଶି ଆସିଥିଲେ। ଠିକା ସଂସ୍ଥାର କର୍ମଚାରୀମାନଙ୍କୁ ଭୟଭୀତ କରାଇ ସେଠାରେ ଥିବା ୨ଟି ଜେସିବି, ୫ଟି ଟ୍ରାକ୍ଟର ଓ ଗୋଟିଏ ମିକ୍ସଚର ମେସିନରେ ନିଆଁ ଲଗାଇ ଦେଇଥିଲେ। ବୁଧବାର ଖବର ପାଇ ମ. ରାମପୁର ଥାନା ପୁଲିସ ତରଫରୁ ଏସଆଇ ଫୁଲଜେନ୍ସ ଲାକ୍ରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ମାଓବାଦୀମାନେ ମ.ରାମପୁର ବ୍ଲକର ଉର୍ଲାଦାନୀ ଅଂଚଳରେ ଗତ କିଛି ବର୍ଷ ହେଲା ବିଭିନ୍ନ କାଣ୍ଡ ଭିଆଇ ନିଜର ଉପସ୍ଥିତି ଜାହିର କରି ଆସୁଛନ୍ତି। ଏହାକୁ ନେଇ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ପୁଲିସ ଘଟଣାସ୍ଥଳରୁ ଜବତ କରିଥିବା ମାଓ ପୋଷ୍ଟରରେ ମେ ୧୫ ତାରିଖ ୨୪ ଘଂଟିଆ କେକେବିଏନ୍ ଡିଭିଜନ ବନ୍ଦକୁ ସଫଳ କରିବା, ସୁଡ଼ୃକୁଂପା ସହିଦ ସାଥୀଙ୍କ ପ୍ରତିଶୋଧ ପାଇଁ ପିଏଲଜିଏରେ ଭର୍ତ୍ତି ହେବା, ପୁଲିସର ଦମନ ଅତ୍ୟାଚାର ବିରୋଧରେ ଜନତା ସଶସ୍ତ୍ର ସଂଘର୍ଷ କରିବାକୁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧିତ ଖବର