କଲ୍ୟାଣସିଂହପୁରରେ ମାଓ ହାମଲା: ଠିକା କ୍ୟାମ୍ପରେ ଟ୍ରକ୍ ପୋଡ଼ିଦେଲେ!

ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇ ନିଜେ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଦେଲେ ଚେତାବନୀ

କଲ୍ୟାଣସିଂହପୁର : କଲ୍ୟାଣସିଂହପୁର ଠିକା କ୍ୟାମ୍ପରେ ଶୁକ୍ରବାର ରାତିରେ ମାଓ ହାମଲା ହୋଇଛି। ଠିକାକ୍ୟାମ୍ପ ପରିସରରେ ଥିବା ଗୋଟିଏ ଟ୍ରକ୍‌କୁ ମାଓବାଦୀ ପୋଡ଼ି ଦେଇଛନ୍ତି। ଏଥି ସହିତ ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇ ନିଜେ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଚେତାବନୀ ଦେଇଛନ୍ତି। କଲ୍ୟାଣସିଂହପୁର ତହସିଲ କାର୍ଯ୍ୟାଳୟ, ବୁଡାଗୁଡା ଛକ, ଶିକରପାଇ ପେଟ୍ରୋଲ୍ ପମ୍ପ ନିକଟରୁ ୩ଟି ବ୍ୟାନର ପୁଲିସ ଜବତ କରିଛି। ରାୟଗଡ଼ା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାଶ, କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହାଂସଦା ଘଟଣାସ୍ଥଳ ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ମାଓବାଦୀଙ୍କ ନାଁରେ କୌଣସି ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରୁଛି।

ଠିକା କ୍ୟାମ୍ପରେ ଶୋଇଥିବା ରାତ୍ରି ଜଗୁଆଳିଙ୍କ କହିବାନୁଯାୟୀ, ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ଠିକା କ୍ୟାମ୍ପ ଭିତରେ ପଶିଥିଲେ। ପ୍ରଥମେ ବ୍ୟାନର ଲଗାଇବା ପରେ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ମାଓବାଦୀଙ୍କ ଭୟରେ ରାତ୍ରି ଜଗୁଆଳି ବାହାରକୁ ଆସିନଥିଲେ। କାଣ୍ଡ ଭିଆଇବାର କିଛି ସମୟ ପରେ ସେମାନେ ଚାଲିଯିବା ପରେ ଘଟଣା ସଂପର୍କରେ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ସକାଳେ ଠିକାସଂସ୍ଥାର କ୍ୟାମ୍ପ ସମେତ କଲ୍ୟାଣସିଂହପୁର ତହସିଲ କାର୍ଯ୍ୟାଳୟ ଫାଟକ, ବୁଡାଗୁଡା ଛକ, ଶିକରପାଇ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା। ମାଓ ବ୍ୟାନର ଦେଖି ଲୋକେ ଭୟଭୀତ ହୋଇ ପଡିଥିବା ବେଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ବିଭିନ୍ନ ସ୍ଥାନରେ ଲାଗିଥିବା ମାଓ ବ୍ୟାନରରେ ସିପିଆଇ କମ୍ୟୁନିଷ୍ଟ୍ ପ୍ରାର୍ଥୀ ବୋଲି ଉଲ୍ଲେଖ ରହିଛି। ସାଥୀଭାଇଙ୍କୁ ହଇରାଣ କରାଯାଉଥିବାରୁ ଆମେ ରାସ୍ତାକୁ ବାହାରିବାକୁ ପ୍ରସ୍ତୁତ ହେଲୁ। ୱାର୍ଡମେମ୍ବର ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦଲାଲ କାର୍ଯ୍ୟ କରୁଛ। ଠିକା କାର୍ଯ୍ୟ ନ କଲେ ହତ୍ୟା କରାଯିବ ବୋଲି ଉଲ୍ଲେଖ ରହିଛି। ବ୍ୟାନରରେ ମାଓବାଦୀଙ୍କ ଏପରି ଲେଖାକୁ ନେଇ ସନ୍ଦେହ ଉପୁଜିଛି।

ସମ୍ବନ୍ଧିତ ଖବର