ଫୁଲବାଣୀ / ବାଲିଗୁଡ଼ା : ପଞ୍ଚାୟତ ନିର୍ବାଚନ ଆଗରୁ କନ୍ଧମାଳ ଜିଲ୍ଲାରେ ଲାଲ୍ବାହିନୀ ରକ୍ତମୁଖା ହୋଇଉଠିଛନ୍ତି। ଗତ ୪୮ ଘଣ୍ଟା ଭିତରେ ବିଭିନ୍ନ ସ୍ଥାନରେ ପୋଷ୍ଟର୍ ମାରିବା ସହ ଲ୍ୟାଣ୍ଡମାଇନ୍ ବିଛାଇ ବାରମ୍ବାର ସେମାନଙ୍କ ଉପସ୍ଥିତିକୁ ଜାହିର୍ କରିବାରେ ଲାଗିଛନ୍ତି। ଆଉ ପଞ୍ଚାୟତ ନିର୍ବାଚନରେ ମତଦାନ ନକରିବାକୁ ଚେତାବନୀ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଆଜି ଫିରିଙ୍ଗିଆ ଥାନା ଅଧୀନ ସାଡ଼ିଙ୍ଗିଆ କିଆମୁଣ୍ଡା ଗ୍ରାମରେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେହିପରି ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ସେମାନେ ବ୍ୟାନର୍ ଓ ପୋଷ୍ଟର୍ ବି ମାରିଛନ୍ତି।
ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଜଣକ ହେଲେ, କିଆମୁଣ୍ଡା ଗ୍ରାମର ପ୍ରିୟରଞ୍ଜନ କହଁର। ପ୍ରିୟରଞ୍ଜନ ଆଜି ସକାଳେ ମାଓବାଦୀ ଲଗାଇଥିବା ପୋଷ୍ଟର୍ ନିକଟକୁ ଯାଇଥିବା ବେଳେ ହଠାତ୍ ଲ୍ୟାଣ୍ଡମାଇନ୍ ଫୁଟିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସ୍ଥାନରେ ମାଓବାଦୀମାନେ ଗତକାଲି ରାସ୍ତା ନିର୍ମାଣକାରୀ ଠିକାସଂସ୍ଥାର ଦୁଇଟି ଗାଡ଼ିକୁ ପୋଡ଼ିଥିବା ସହ ପୋଷ୍ଟର୍ ଓ ବ୍ୟାନର୍ ବି ଲଗାଇଥିଲେ। ହେଲେ ସିଆରପିଏଫ୍ କ୍ୟାମ୍ପ୍ଠୁ ମାତ୍ର ୩ କିଲୋମିଟର ଦୂରରେ ମାଓବାଦୀମାନେ ଏଭଳି କାଣ୍ଡ ଘଟାଇଥିଲେ ମଧ୍ୟ ପୁଲିସ୍ କିମ୍ବା ସିଆର୍ପିଏଫ୍ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଘଟଣାସ୍ଥଳରେ ପ୍ରିୟରଞ୍ଜନଙ୍କ ଶବ ପ୍ରାୟ ୯ ଘଣ୍ଟା ଧରି ପଡ଼ିରହିଥିଲା। ଅପରାହ୍ନ ୪ଟାରେ ପୁଲିସ ପହଞ୍ଚି ଶବକୁ ଜବତ କରିଥିଲା।
ସେହିଭଳି ମାଓବାଦୀମାନେ ଆଜି ବାଲିଗୁଡ଼ା ଏନ୍ଏସିର ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଲଗାଇ ପଞ୍ଚାୟତ ଭୋଟ୍ ବର୍ଜନ କରିବାକୁ ସାଧାରଣ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ସୁନାପାଙ୍ଗା, ପଣସପଡ଼ି, ନୂଆସାହି ଓ ପିପଳସାହି ଆଦି ସ୍ଥାନରେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ବହୁ ସଂଖ୍ୟାରେ ବ୍ୟାନର୍ ଓ ପୋଷ୍ଟର୍ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଭୋଟ୍ ବର୍ଜନ ସମେତ ଜଙ୍ଗଲ, ଜମି, ଜଳ ଓ ନିଜ ହକ୍ ପାଇଁ ଲଢ଼େଇ କରିବାକୁ ଏହା ମାଧ୍ୟମରେ ଆହ୍ବାନ୍ ଦିଆଯାଇଛି। ପୋଷ୍ଟର୍କୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଥିଲା। ପରେ ପୁଲିସ ପହଞ୍ଚି ସମସ୍ତ ବ୍ୟାନର୍ ଓ ପୋଷ୍ଟର୍ ଜବତ କରିଛି।