ଡିଜିପିଙ୍କ ଗସ୍ତର ୩ ଦିନ ପରେ ପୁଣି ମାଓ ହିଂସା: ୯ ଦିନରେ କନ୍ଧମାଳରେ ଗଲାଣି ୨ ଜୀବନ, କାମ ଦେଉନି କି ପୁଲିସ ରଣନୀତି?

ଭୁବନେଶ୍ବର : ପ୍ରଥମେ କଳାହାଣ୍ଡିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ। ମାତ୍ର ୪ ଦିନ ପରେ ସମାନ ଢଙ୍ଗରେ କନ୍ଧମାଳରେ ଶିକାର ହେଲେ ଯୁବକ। ମାତ୍ର ୯ ଦିନ ଭିତରେ ସେହି କନ୍ଧମାଳରେ ଆଉ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଗଳାକାଟି ହତ୍ୟା। ତାହା ପୁଣି ଡିଜିପି ସୁନୀଲ ବଂଶଲଙ୍କ ଗସ୍ତର ମାତ୍ର ୩ ଦିନି ପରେ। ଏହି ବର୍ବୋରଚିତ କାଣ୍ଡ ମାଓ ଅଧ୍ୟୁଷିତ ଇଲାକାରେ ଆତଙ୍କ ସୃଷ୍ଟି କରିଛି। ଯାହାକୁ ନେଇ ଭୟର ବାତାବରଣ ଲାଗି ରହିଛି। ମାଓବାଦୀଙ୍କ ଦୁଇ ଦୁଇଟି ନୃଶଂସ କାଣ୍ଡ ପରେ ଡିଜିପି ଶ୍ରୀ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍, ସଶସ୍ତ୍ର ପୁଲିସ ବାହିନୀର ସ୍ବତନ୍ତ୍ର ଡିଜି, ଜିଲ୍ଲା ପୁଲିସ, ଅର୍ଦ୍ଧ ସାମରିକ ବାହିନୀ ଅଧିକାରୀଙ୍କୁ ନେଇ ଗତ ୧୧ ତାରିଖରେ କନ୍ଧମାଳରେ ସମୀକ୍ଷା ବୈଠକ ବସିଥିଲା। ମାଓ ମୁକାବିଲା ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଥିଲା। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ ପରେ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀଙ୍କ ଉଭୟ ନିର୍ବାଚନୀ ସୁରକ୍ଷା ଓ ମାଓ ଦମନ ରଣନୀତି ଲୋକଙ୍କ ମନରେ ଆଶା ସଞ୍ଚାର କରିଥିଲା। କିନ୍ତୁ ଗସ୍ତର ୩ ଦିନ ପରେ ଏହି ବୀଭତ୍ସ କାଣ୍ଡ ପୁଣି ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେକେବିଏନ୍(କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ଡିଭିଜନର ନେତୃତ୍ବ ନେଉଥିବା ଚଲପତି ରକ୍ତମୁଖା ହୋଇ ପଡ଼ିଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଗ୍ୟାଙ୍ଗର ଅପରେସନକୁ ଦେଖିଲେ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ଅଛନ୍ତି। ଏମାନେ ପୁଲିସକୁ ଟିକେ ବି ଖାତିର କରୁ ନାହାନ୍ତି। ଆସନ୍ତକାଲି(ବୁଧବାର, ୧୬ ତାରିଖ) ଠାରୁ ବିଭିନ୍ନ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ ହେବାକୁ ଯାଉଥିବା ବେଳେ ମାଓବାଦୀ ଅଧିକ ହିଂସ୍ର ହେବେ ବୋଲି ଅନୁମାନ କରାଯାଉଛି। କାରଣ ପଞ୍ଚାୟତ ଭୋର ବର୍ଜନ ସପକ୍ଷରେ ବିଭିନ୍ନ କନ୍ଧମାଳ ଓ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇବା ଓ ଲ୍ୟାଣ୍ଡମାଇନ୍ ଖଞ୍ଜିବା ଘଟଣାରୁ ଏହା ସ୍ପଷ୍ଟ ହେବାରେ ଲାଗିଛି। ସେହିପରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଜାରି ରହିଥିବା ଜଣାପଡ଼ିଛି। ଖୁବଶୀଘ୍ର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ ବୋଲି କୁହାଯାଉଛି।

ପୁଲିସ କେଉଁ ରଣନୀତି ପ୍ରସ୍ତୁତ କରିବ? କେମିତି ମୁକାବିଲା କରିବ? ୩ ଜଣଙ୍କୁ ହତ୍ୟା କରି ଆତଙ୍କ ସୃଷ୍ଟି କରିଥିବା ମାଓବାଦୀ ସଂଗଠନ ବିରୋଧରେ କେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ତାହା ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ। ସୂଚନାଯୋଗ୍ୟ, କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଗୁମ ଗାଁରେ ପୁଲିସ ଇନଫର୍ମର ସନ୍ଦେହରେ ଯୁବକ କପିଳ ମାଝୀଙ୍କୁ ଘରୁ ଡାକି ନେଇ ଗଳା କାଟି ହତ୍ୟା। ସେହିପରି ଫେବ୍ରୁଆରି ପ୍ରଥମ ସପ୍ତାହରେ କନ୍ଧମାଳ ଫିରିଙ୍ଗିଆ ଥାନା କିଆମୁଣ୍ଡାରେ ପ୍ରିୟରଞ୍ଜନ କଅଁରଙ୍କର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା। ସେହିପରି ଫେବ୍ରୁଆରି ୫ ତାରିଖରେ କଳାହାଣ୍ଡିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଜୀବନ ଯାଇଥିଲା।

ସମ୍ବନ୍ଧିତ ଖବର