ମାଓବାଦୀଙ୍କ ବର୍ବର କାଣ୍ଡ: ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଫୁଲବାଣୀ/କ.ନୂଆଗାଁ: ବର୍ଷ ଆରମ୍ଭରେ କନ୍ଧମାଳରେ ମାଓବାଦୀ ଘଟାଇଛନ୍ତି ବର୍ବର କାଣ୍ଡ। ରାତିରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ବିଳମ୍ବିତ ରାତିରେ କ.ନୂଆଗାଁ ଥାନା ବୁଡ୍ରୁମାହା ଗାଁରେ ମାଓବାଦୀ ଏଭଳି କାଣ୍ଡ ଭିଆଇଛନ୍ତି। ବାଲିଗୁଡ଼ା ଥାନା ମାର୍ଦୁଲ ଗାଁର ରଞ୍ଜନ ଦିଗାଲଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିବା ପରେ ମୃତଦେହ ପାଖରେ ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି। ମାଓବାଦୀ ସଂଗଠନ ସହ ବିଶ୍ବାସଘାତ କରି ପୁଲିସକୁ ସହଯୋଗ କରୁଥିବାରୁ ରଞ୍ଜନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ହାତଲେଖା ପୋଷ୍ଟରରେ ଉଲ୍ଲେଖ ରହିଛି। ଏହାପରେ ଟାର୍ଗେଟରେ ପଞ୍ଚାୟତର ଦୁଇ ତିନି ଜଣ ଜନପ୍ରତିନିଧି ଅଛନ୍ତି ବୋଲି ମଧ୍ୟ ପୋଷ୍ଟରରେ ଦର୍ଶାଇଛନ୍ତି। କ.ନୂଆଗାଁ ଥାନା ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅପରାହ୍ନ ୩ଟାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କ.ନୂଆଗାଁ ଥାନାରେ ପୁଲିସ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଶ୍ରୀନିବାସ ସାମଲ କହିଛନ୍ତି।

ସୂଚନା ମୁତାବକ ରଞ୍ଜନଙ୍କ ପତ୍ନୀ ମୀନାକ୍ଷି ପ୍ରଧାନ ବୁଡ୍ରୁମାହା ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରରେ ଚାକିରି କରନ୍ତି। ରଞ୍ଜନ ଗତକାଲି କ.ନୂଆଗାଁ ଯାଇ ପତ୍ନୀଙ୍କ ସହ ବୁଡ୍ରୁମାହା ଫେରିଥିଲେ। ପୂର୍ବରୁ ମାଓବାଦୀ ରଞ୍ଜନଙ୍କୁ ସତର୍କ କରାଇଥିବା ବେଳେ ଗତକାଲି ତାଙ୍କ ଗତିବିଧି ଉପରେ ନଜର ରଖିଥିଲେ। କେକେବିଏନ୍‌ ମାଓ ସଂଗଠନର ୧୫ରୁ ୨୦ ଜଣ ମାଓବାଦୀ ରାତିରେ ପହଞ୍ଚି ତାଙ୍କ ଘର କବାଟ ବାଡ଼େଇଥିଲେ। କିନ୍ତୁ ରଞ୍ଜନ କବାଟ ନ ଖୋଲିବାରୁ ମାଓବାଦୀମାନେ ଘର କାନ୍ଥ ଭାଙ୍ଗି ଭିତରକୁ ପଶିଥିଲେ ଏବଂ ରଞ୍ଜନଙ୍କ ସମେତ ପତ୍ନୀ ଓ ପିଲାଙ୍କୁ ମାରଧର କରିଥିଲେ। ତାପରେ ରଞ୍ଜନଙ୍କୁ ବାହାରକୁ ଡାକି ନେଇ ଗୁଳି କରି ହତ୍ୟା କରିଥିଲେ। ସେଠାରୁ ତାଙ୍କ ଶବକୁ ଘୋଷାଡ଼ି ନେଇ ଗାଁ ପାଖ ସ୍କୁଲ ନିକଟରେ ପକାଇ ଦେଇଥିଲେ। ନିକଟରେ ଥିବା ଏକ ଗଛରେ ପୋଷ୍ଟର ଲଗାଇ ସେଠାରୁ ପଳାଇ ଯାଇଥିଲେ। ପରିବାର ଲୋକ ରାତିସାରା ରଞ୍ଜନଙ୍କୁ ଖୋ‌ଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଆଜି ଗାଁ ସ୍କୁଲ ସମ୍ମୁଖରେ ରଞ୍ଜନଙ୍କ ଗୁଳିବିଦ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ରଞ୍ଜନଙ୍କ ବିଧବା ପତ୍ନୀ ଓ ୨ ଶିଶୁ ଅଛନ୍ତି। ଏହି ଘଟଣା ପରେ ଉକ୍ତ ଇଲାକାରେ ପୁଲିସ କମ୍ବିଂ ଅପରେସନ୍‌ ଜୋରଦାର କରିଛି। ସପ୍ତାହକ ପୂର୍ବେ ଜଣେ ନାବାଳିକା ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଲାଲ୍‌ବାହିନୀ ପୁଣି ସକ୍ରିୟ ହୋଇ ଏଭଳି ଆତଙ୍କରାଜ୍‌ ଆରମ୍ଭ କରି ଦେଇଥିବା କୁହାଯାଇଛି। ତେବେ ମାଓବାଦୀଙ୍କୁ ଠିକଣା ଜବାବ ଦେବା ପାଇଁ ପୁଲିସ ସଦାସର୍ବଦା ପ୍ରସ୍ତୁତ ରହିଛି ‌ବୋଲି ଏସ୍‌.ପି. ପ୍ରତୀକ ଗୀତା ସିଂ କହିଛନ୍ତି।

ସମ୍ବନ୍ଧିତ ଖବର