ମୁନିଗୁଡା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ। ୯ଦିନ ମଧ୍ୟରେ ଦ୍ବିତୀୟ ଥର ଉପସ୍ଥିତ ଜାହିର କରିବା ସହ ଭୁରୁଷିଖମା ଛକରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ମାଓ ବିରୋଧୀ ତଥା ଦଲାଲଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସିପିଆଇ ମାଓବାଦୀ ବାଶଧରା-ଘୁମୁସର-ନାଗାବଳୀ ଡିଭିଜିନାଲ କମିଟି ଏହି ପୋଷ୍ଟର ଲଗାଇଛି।
ଶେରକାପାଡିରୁ ନିୟମଗିରିକୁ ସଂଯୋଗ ପାଇଁ ନିର୍ମାଣ ଚାଲିଥିବା ରାସ୍ତା କାମକୁ ତୁରନ୍ତ ବନ୍ଦ କରାଯାଉ। ଆଦିବାସୀଙ୍କ ଜଙ୍ଗଲ ଜମିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି ସରକାର। ତାହାକୁ ସମସ୍ତେ ବିରୋଧ କରନ୍ତୁ। ନିୟମଗିରି ଓ ଶାଶୂ-ବୋହୂମାଳି ପର୍ବତରେ ଯେଉଁ ଦଲାଲ ବୁଲୁଛନ୍ତି ସାବଧାନ ହୋଇଯାନ୍ତୁ। ମେ ୧୫ତାରିଖରେ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିରୋଧ କରିଥିବା ବ୍ୟକ୍ତି ମଧ୍ୟ ସତର୍କ ରୁହନ୍ତୁ। ପୁଲିସ ଓ ପ୍ରଶାସନ ସପକ୍ଷରେ ପ୍ରଚାର କରି ଗରିବଙ୍କ ସମସ୍ୟା ଲୋକଲୋଚନକୁ ଆଣୁନଥିବା ସାମ୍ବାଦିକଙ୍କୁ ପୋଷ୍ଟରରେ ତାଗିଦ୍ କରାଯାଇଛି।
ସୂଚନାଯୋଗ୍ୟ, ଗତ ମାସ ୩୦ତାରିଖ ବିଳମ୍ବିତ ରାତିରେ ଦେଓକୁପୁଲି ଛକ ସ୍ଥିତ ଗୋଟିଏ କ୍ରସରରେ ସଶସ୍ତ୍ର ମାଓବାଦୀ ପୋଡ଼ାଜଳା କରିଥିଲେ। ଟିପର, ଜେସିବି ସମେତ ୯ଟି ଗାଡ଼ିରେ ନିଆଁ ଲଗାଇବା ସହ ଦୁଇଟି ପୋଷ୍ଟର ସେଠାରେ ଛାଡ଼ି ଯାଇଥିଲେ। କ୍ରସର ଯୋଗୁ କେଉଁ ଭଳି କ୍ଷୟକ୍ଷତି ହେଉଛି ପୋଷ୍ଟରରେ ଉଲ୍ଲେଖ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/rayagada-pp.jpg)