ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତ ଜଙ୍ଗଲରୁ ବିଏସଏଫ ଯବାନମାନେ ମାଓ ଶିବିର ଠାବ କରିଛନ୍ତି। ସେଠାରୁ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳୁ ମାଲକାନଗିରି ବିଏସଏଫ୍ ୨ ବାଟାଲିଆନର ଯବାନମାନେ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ତୁଳସୀ ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ସେହି ସମୟରେ ମାଥିଲି ଥାନା ଅନ୍ତର୍ଗତ ଟେମୁରୀପାଲି ପଞ୍ଚାୟତ ଅନ୍ତର୍ଗତ କିର୍ମିତି ଗ୍ରାମର ନିକଟରେ ଥିବା ଜଙ୍ଗଲରେ ଥିବା ଗୋଟିଏ ଗଛ ମୂଳରେ ଥିବା ଗୁମ୍ପାରୁ ମାଓବାଦୀଙ୍କ ଡମ୍ପ ପାଇଥିଲେ। ସେଠାରୁ ଯବାନମାନେ ୧୫ ଲିଟର ବିଶିଷ୍ଟ କଣ୍ଟେନର, ୱାକି, ଦେଶୀ ଗ୍ରେନେଡ୍, ୮୨ଟି ମାଓ ସାହିତ୍ୟ ବହି, ଜରିପାଲ ଓ ବ୍ୟାଗ ସହ ଅନ୍ୟାନ ସାମଗ୍ରୀ ଜବତ କରିଥିଲେ। ଛତିଶଗଡରେ ବିଧାନସଭା ନିର୍ବାଚନ ରହିଥିବା ବେଲେ ମାଲକାନଗିରି ଜିଲ୍ଲାରେ ବିଏସଏଫ ପକ୍ଷରୁ କମ୍ବିଂ ଅପରେସନ କରାଯାଉଛି।