ଭବାନୀପାଟଣା : କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତରେ ଥିବା ମୁଣ୍ଡାମସ୍କାରେ ଗୁରବାର ସକାଳେ ପୁଲିସ୍‌ ପକ୍ଷରୁ କମ୍ବିଂ ଅପରେସନ ସମୟରେ ଏକ ମାଓକ୍ୟାମ୍ପ୍‌ ଠାବ କରାଯାଇଛି। ପୁଲିସ୍‌ର ଚଢ଼ଉ ପରେ ପ୍ରାୟ ୩୦ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି। ସିନିୟର କ୍ୟାଡର ନିଖିଲ, ବଣ୍ଟି, ଦସରୁ, ମମତା ଏବଂ ଅନ୍ୟ କ୍ୟାଡରମାନେ ଘଟଣାସ୍ଥଳରୁ ଖସି ଯାଇଛନ୍ତି। ପୁଲିସ୍‌ ପକ୍ଷରୁ ବ୍ୟାପକ ମାଓ ସାମଗ୍ରୀ ଜବତ କରିବା ସହ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସ୍‌ପି ଅଭିଳାଷ ଜି. ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ଭବାନୀପାଟଣା ପୁଲିସ୍‌ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି, ଗୁରବାର ସକାଳ ସାଢ଼େ ୧୧ଟାରେ ଏସ୍‌ଓଜି ଏବଂ ଡିଭିଏଫ୍‌ ପକ୍ଷରୁ ମଦନପୁର ରାମପୁର ଥାନା ଅର୍ନ୍ତଗତ ଲୁବେନଗଡ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ମାଓବାଦୀମାନଙ୍କ ପକ୍ଷରୁ ପ୍ରଥମେ ଗୁଳିମାଡ଼ ହୋଇଥିଲା। ଏହାପରେ ପ୍ରାୟ ୨୦ରୁ ୨୫ ମିନିଟ୍‌ ଧରି ଗୁଳି ବିନିମୟ ଚାଲିଥିଲା। ମାଓବାଦୀମାନେ ୟୁବିଜିଏଲ ଏବଂ ଏକେ-୪୭ ବନ୍ଧୁକରେ ଗୁଳିଚାଳନା କରିଥିଲେ। ପୁଲିସ ପକ୍ଷରୁ ତୁହାକୁ ତୁହା ଗୁଳିଚାଳନା ହେବାପରେ ମାଓବାଦୀମାନେ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେସନ ବେଳେ ୨ଟି ଆଇଡି, ଗୋଟିଏ ବବିଟ୍ରାପ, ‌ଡିଟୋନେଟର, ମାଓପୁସ୍ତିକା, ବିପୁଳ ପରିମାଣରେ ଛତା, ସୋଲାର ପ୍ଲେଟ୍‌, ପାଣି ଜାରକିନ, ମାଓବ୍ୟାନର, ଟର୍ଚ୍ଚଲାଇଟ, ଚାର୍ଜର, ବ୍ୟାଗ, ସାବୁନ, ପଲିଥିନ ସିଟ, ବିଦ୍ୟୁତ ତାର, ଔଷଧ ଓ ମାଓ ବ୍ୟବହୃତ ବହୁ ସାମଗ୍ରୀ ପୁଲିସ୍‌ ଠାବ କରିଛି। ପୁଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିନିମନ୍ତେ ଅଧିକ ଏସ୍‌ଓଜି ଯବାନ ଟିମ୍‌ ମୁତୟନ କରାଯାଇଛି। କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ଏହି ଗୁପ୍ତ ବୈଠକ‌କୁ ପୁଲିସ୍‌ ପଣ୍ଡ କରିଛି। ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସନ୍ଧ୍ୟାରେ କଳାହାଣ୍ଡି ପୁଲିସ୍‌ ଏସ୍‌ପି ଅଭିଳାଷ ଜି. ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।