ଆତ୍ମସମର୍ପଣ ପରେ ମୁହଁ ‌ଖୋଲିଲେ ମାଓ ଦମ୍ପତି : ବିବାହ କରିବାରୁ ଜୋର୍‌ଜବରଦସ୍ତ ଅସ୍ତ୍ରୋପଚାର

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରଣ୍ଡା ଜଙ୍ଗଲରେ ସକ୍ରିୟ ତଥା ବହୁ ମାମଲାରେ ସମ୍ପୃକ୍ତ ମାଓ ଦମ୍ପତ୍ତି ରଣବୀର ପାତ୍ର ଓ ଶାନ୍ତି କାଣ୍ଡୁଲନା ମାଓବାଦୀ ସଂଗଠନ ଛାଡ଼ିଛନ୍ତି। ଆଜି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଚାଇଁବସା ଏସ୍‌ପି ଚନ୍ଦନ ଝ‌ା ଏବଂ ୧୭୪ ସିଆରପିଏଫ କମାଣ୍ଡର ଡା. ପ୍ରେମଚନ୍ଦଙ୍କ ନିକଟରେ ଉଭୟ ଆତ୍ମସମର୍ପଣ କରିଛନ୍ତି। ଏହି ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ ପୁଲିସ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି।

ଅନ୍ୟପକ୍ଷରେ, ମାଓବାଦୀ ରଣବୀର ପାତ୍ର ବିବାହ କରିବାରୁ ମାଓ ସଂଗଠନର ନେତାମାନେ ତାଙ୍କୁ ଜୋର୍‌ଜବରଦସ୍ତ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇ ଦେଇଥିଲେ। ଆଜି ପୁଲିସ ନିକଟରେ ଆତ୍ମ ସମର୍ପଣ କରିବା ପରେ ରଣବୀରଙ୍କ ସରଣ୍ଡା ଜଙ୍ଗଲରେ ପ୍ରେମ କାହାଣୀ ଓ ଦୁଃଖଦ ଅନ୍ତ ସମ୍ପର୍କରେ ବହୁ ତଥ୍ୟ ମିଳିଛି। ମାଓ ସଂଗଠନ ପାଇଁ କାମ କରୁଥିବା ବେଳେ ରଣବୀର ସରଣ୍ଡା ଜଙ୍ଗଲ ଭିତରେ ଥିବା ଛୋଟନାଗରା ଗ୍ରାମର ଶାନ୍ତିଙ୍କୁ ପ୍ରେମ କରିଥିଲେ। ଶାନ୍ତି ମଧ୍ୟ ସଂଗଠନରେ ସାମଲ ହୋଇଥିଲେ। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେବାରୁ ମାଓ ନେତାମାନେ ଏହାର ଘୋର ବିରୋଧ କରିଥିଲେ। କିନ୍ତୁ ରଣବୀର ଓ ଶାନ୍ତି ଗୋପନୀୟ ଭାବେ ବିବାହ କରିଥିଲେ। ଏହି ଖବର ପାଇବା ପରେ ମାଓ‌ ନେତାମାନେ ରଣବୀରଙ୍କୁ ଉଠାଇ ନେଇ ପରିବାର ନିୟୋଜନ ଅସ୍ତ୍ରୋପଚାର କରି ଦେଇଥିଲେ। ଏଥିଯୋଗୁଁ ଉଭୟ ମାଓ ସଂଗଠନ ଛାଡ଼ବାକୁ ନିଷ୍ପତ୍ତି ନେଇଥିଲେ।

ରଣବୀର ଓ ଶାନ୍ତି ମାଓ କମାଣ୍ଡର୍‌ ଅନମୋଲଙ୍କ ଅଧୀନରେ କାମ କରୁଥିଲେ। ଶାନ୍ତିଙ୍କ ନାମରେ ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟ ନାଗରା ଥାନା, ଗୋବାମୁଣ୍ଡି ଥାନା ଏବଂ କିରିବୁର ଥାନାରେ ୩ଟି ମାମଲା ରହିଛି। ସେହିପରି ରଣବୀରଙ୍କ ନାମରେ ଗୋଆ, ସଦର ଏବଂ କିରିବୁରୁ ଥାନାରେ ୩ଟି ମାମଲା ରହିଛି। ୨୦୧୪ ମସିହାରେ ଚାଇଁବସା ଜେଲ୍‌ ଭାଙ୍ଗିବା ଘଟଣାରେ ରଣବୀର ମାଷ୍ଟର ମାଇଣ୍ଡ ଥିଲା। ଓଡ଼ିଶା ପୁଲିସ ସହିତ ମଧ୍ୟ ସେମାନଙ୍କର ଅନେକ ଥର ଗୁଳି ବିନିମୟ ହୋଇଥିଲା। ରଣବୀରଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଏବଂ ଶାନ୍ତିଙ୍କ ଘର ସରଣ୍ଡା ଜଙ୍ଗଲର ଛେଟଘାଗରାରେ। ସଂଗଠନରେ ରଣବୀର- ଗଣେଶ୍ବର ଓ ବିକ୍ରମ ଗାଗରାଇ ନାମରେ ପରିଚିତ ଥିଲେ। ଆତ୍ମସମର୍ପଣ କରିବା ବେଳେ ପୁଲିସ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ ଉଭୟଙ୍କୁ ସ୍ବାଗତ କରାଯାଇଥିଲା। ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ଉଭୟଙ୍କୁ ଆଜି ଲକ୍ଷେ ଟଙ୍କା ଲେଖାଏଁ ନଗଦ ଅର୍ଥ ଦିଆଯାଇଥିଲା। ମାଓ ଦମ୍ପତିଙ୍କ ଆତ୍ମସମର୍ପଣ ଘଟଣା ଅନ୍ୟମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପ୍ରୋତ୍ସାହନ ଯୋଗାଇବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର