ଫୁଲବାଣୀ: ଆସନ୍ତା ୨୦ରେ କନ୍ଧମାଳ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ପାଇଁ ମତଦାନ ହେବ। ଏଣୁ ଆଜି ସନ୍ଧ୍ୟାରୁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ନିର୍ବାଚନ ପ୍ରଚାର ବନ୍ଦ କରିଛନ୍ତି। କିନ୍ତୁ କନ୍ଧମାଳ ଏକ ମାଓପ୍ରବଣ ଜିଲ୍ଲା ହୋଇଥିବାରୁ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପୁଲିସ ପାଇଁ ବଡ଼ ଆହ୍ବାନ ହୋଇଛି। ଜିଲ୍ଲାରେ ମୋଟ ୬୬୦ ବୁଥ୍ ମଧ୍ୟରୁ ୨୪୨ଟି ବୁଥ୍ ଅତି ସମ୍ବେଦନଶୀଳ ବୋଲି ଘୋଷଣା କରାଯାଇଛି। ଏହି ୨୪୨ ବୁଥ୍ରେ ଶାନ୍ତପୂର୍ଣ୍ଣ ମତଦାନ ପରିଚାଳନା କରିବା ପୁଲିସ, ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି।
ମାଓ ଉପଦ୍ରୁତ କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା, ଫିରିଙ୍ଗିଆ ଅଞ୍ଚଳରେ କମ୍ବିଂ ଅପରେସନ୍କୁ ବ୍ୟାପକ କରାଯାଇଛି। ଅତି ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ସିଆର୍ପିଏଫ୍, ବିଏସ୍ଏଫ୍, ଏସ୍ଓଜି ଏବଂ ଡିଭିଏଫ୍ ଯବାନମାନଙ୍କୁ ମୁତୟନ କରାଯାଇଛି। ଅନ୍ୟପଟେ, ନିର୍ବାଚନ କମିସନଙ୍କ ମାର୍ଗଦର୍ଶିକା ଅନୁସାରେ, ପ୍ରତି ପୋଲିଂ ପାର୍ଟି ସହିତ ଜଣେ ପୁଲିସ ଅଫିସରଙ୍କୁ ଯୋଗାଇ ଦିଆଯାଇଛି ବୋଲି ଏସ୍ପି ଶ୍ରୀ ପାତ୍ର କହିଛନ୍ତି। ତେବେ ମାଓବାଦୀମାନେ କେଉଁଠି କିଛି ଅଘଟଣ ଘଟାଇବେ ତାକୁ ନେଇ ପୁଲିସ ଅଧିକ ସତର୍କ ରହିଛି। ଗତକାଲିଠାରୁ କନ୍ଧମାଳ ଜିଲ୍ଲାର ସମସ୍ତ ବୁଥ୍ର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ବର ପାଟିଲ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତକାଲି କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲି, ନୂଆଗାଁ, ମାସ୍କାପାଙ୍ଗା ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର୍, ବ୍ୟାନର୍ ଲଗାଇ ଉପସ୍ଥିତି ଜାହିର କରିଛନ୍ତି। ଏସବୁ ପୋଷ୍ଟର୍ ଓ ବ୍ୟାନର୍ ବଂଶଧାରା-ଘୁମୁସର-ନାଗାବଳି (ବିଜିଏନ୍) ମାଓ ଡିଭିଜନ୍ ପକ୍ଷରୁ ଲଗାଯାଇଛି। କନ୍ଧମାଳ-ରାୟଗଡ଼ା ଓ କନ୍ଧମାଳ-ଗଜପତି ସୀମାନ୍ତ କୋଟଗଡ଼, ଦାରିଙ୍ଗିବାଡ଼ି ଅଞ୍ଚଳର ଦୁର୍ଗାପାଙ୍ଗା, ସୁବର୍ଣ୍ଣଗିରି, ଦାରିଙ୍ଗିବାଡ଼ିର ବ୍ରାହ୍ମଣୀଗାଁ, ଗଜପତି ଜିଲ୍ଲାର ମୋହନା, ଅଡ଼ବା ଜଙ୍ଗଲରେ ବଂଶଧାରା-ଘୁମୁସର-ନାଗାବଳି ମାଓ ଡିଭିଜନାଲ୍ କମିଟି ସକ୍ରିୟ ଥିବାବେଳେ କନ୍ଧମାଳ-କଳାହାଣ୍ଡି ଏବଂ କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ବାଲିଗୁଡ଼ା, ଫିରିଙ୍ଗିଆ ଅଞ୍ଚଳର ଗୋଛାପଡ଼ା, ଲୁଇସିଂ, ବାଲନ୍ଦାପଡ଼ା, ପାଇରାଜୁ, ସାଡ଼ିଙ୍ଗିଆ, ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ଖମନଖୋଲ, ବାରଖମା ଆଦି ଅଞ୍ଚଳରେ କେକେବିଏନ୍ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ମାଓ ଡିଭିଜନ ସକ୍ରିୟ ରହିଛି। କନ୍ଧମାଳ ଜିଲ୍ଲାକୁ ଚାରିପଟେ ମାଓବାଦୀ ଏକପ୍ରକାର ଘେରାଇ ରଖିଛନ୍ତି। ବେଳେବେଳେ ପଡ଼ୋଶୀ ଛତିଶଗଡ଼ରୁ ବଡ଼ ଅଘଟଣ ପରେ ମାଓବାଦୀମାନେ ଚାଲି ଆସି ଏହି ଇଲାକାରେ ଆଶ୍ରୟ ନିଅନ୍ତି। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ତୁମୁଡ଼ିବନ୍ଧ ବ୍ଲକର ବେଲଘର, ସିର୍ଲା, ମୁଣ୍ଡିଗଡ଼, ଭଣ୍ଡରଙ୍ଗି ଅଞ୍ଚଳରେ ବି ମାଓବାଦୀମାନେ ସକ୍ରିୟ ରହିଛନ୍ତି।
ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ କେକେବିଏନ୍ ମାଓ ଡିଭିଜନ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମରବନ୍ଧ ପଞ୍ଚାୟତରେ ହିଂସା ଘଟାଇଥିଲେ। ମାଓବାଦୀ ପୋଲିଂ ପାର୍ଟି ଗାଡ଼ି ଉପରେ ଗୁଳିମାଡ଼ କରିଥିଲେ। ଏଥିରେ ଲୁଇସିଂ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟିଥିଲା। କନ୍ଧମାଳ ଜିଲ୍ଲାରେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ଦୁଇ ମାଓ ଡିଭିଜନ ଅନେକ ଅଘଟଣ ଘଟାଇବା ସହ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରି ଆସିଛନ୍ତି। ଏଣୁ ଚଳିତ ନିର୍ବାଚନରେ ମାଓ ହିଂସା ଆଶଙ୍କାକୁ ସମ୍ପୂର୍ଣ୍ଣ ଏଡ଼େଇ ହେବନି। କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କ କହିବା ଅନୁସାରେ, ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ପିଏସ୍ଓ ଯୋଗାଇ ଦିଆଯିବା ନେଇ ଆଲୋଚନା ହୋଇଛି। ଜିଲ୍ଲାର ୨୪୨ଟି ଅତି ସମ୍ବେଦନଶୀଳ ବୁଥ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/CRPF.jpeg)