ନୃସିଂହନାଥ ପୀଠ ବିକାଶକୁ ମାଓ ଭୟ!

ବରଗଡ଼ : କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍‌-ଟି ସଚିବଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ଅଧିକାରୀଗଣ ବରଗଡ଼ ଜିଲ୍ଲା ପାଇକମାଳର ନୃସିଂହନାଥ ପୀଠ ପରିଦର୍ଶନ କରିବା ସହ ନୂଆ ସମ୍ଭାବନା ସମୀକ୍ଷା କରିଛନ୍ତି। ଏହି ଗସ୍ତବେଳେ ସ୍ଥାନୀୟ ବୁଦ୍ଧିଜୀବୀମାନେ ପୀଠର ପାରିପାର୍ଶ୍ବିକ ବିକାଶ ଏବଂ ହରିଶଂକରକୁ ରୋପ‌୍‌-ୱେରେ ଯୋଡ଼ିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ନିଜ ଗସ୍ତକାଳରେ ସଚିବମାନେ କୌଣସି ନିର୍ଦ୍ଦିଷ୍ଟ ଯୋଜନା ସଂପର୍କରେ ଘୋଷଣା କରିନଥିଲେ। ସମ୍ଭବତଃ ରାଜ୍ୟର ଅନ୍ୟ ପୀଠ ଭଳି ନୃସିଂହନାଥ ପାଇଁ ମଧ୍ୟ ବହୁମୁଖୀ ଯୋଜନା ଘୋଷଣା ହୋଇପାରେ। ବିଶେଷକରି ରୋପ୍‌-ୱେ ସେତେବେଳେ ଚର୍ଚ୍ଚାରେ ରହିବ।

କିନ୍ତୁ ମାଓ ଗତିବିଧି ଏହି ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ ବୋଲି ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରୁଛନ୍ତି। କାରଣ ବର୍ଷର ବିଭିନ୍ନ ସମୟରେ ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓ ଗତିବିଧି ଲାଗି ରହିଥାଏ। କିଛି ମାସ ତଳେ ପାହାଡ଼ରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା। ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ପ୍ରବଳ ବର୍ଷାର ସୁ‌ଯୋଗ ନେଇ ମାଓବାଦୀ ଫେରାର୍‌ ମାରିଥିଲେ। ଘଟଣାସ୍ଥଳରୁ ଜଣେ ଟପ୍‌ କ୍ୟାଡର୍‌ ମାଓନେତାର ଟୋପି ମିଳିଥିଲା। ଏହାବାଦ୍‌ ସେଠାରୁ ମିଳିଥିବା ଖୋକାରୁ ମାଓବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖିଥିବା ସୁରକ୍ଷାକର୍ମୀ ଜାଣିବାକୁ ପାଇଥିଲେ। ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ କହିବା ଅନୁସାରେ କିଛି ମାସ ହେଲା ଗନ୍ଧମାର୍ଦ୍ଦନରେ କମ୍ବିଂ ଅପରେସନ ବନ୍ଦ ରହିଛି। ତେବେ ସେ କାରଣ କହିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏସ୍‌ପି ପଦ୍ମିନୀ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିନାହିଁ। ଯଦି ଠିକଣା ସମୟରେ ପୁଲିସ୍‌ ତ୍ବରିତ ପଦକ୍ଷେପ ନ ନିଏ, ତେବେ ସମ୍ଭାବ୍ୟ ବିକାଶ ପ୍ରକଳ୍ପରେ ମାଓବାଦୀ ବାଧା ଦେଇପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର