ନାରାୟଣପାଟଣା: ମାଓ ମୁକ୍ତ ହୋଇଛି ନାରାୟଣପାଟଣା। ଗୁଳିଗୁଳାର ଶବ୍ଦ ଆଉ ଶୁଭୁନଥିବା ବେଳେ ମାଓ ପୋଷ୍ଟର୍ ଦେଖିବାକୁ ମିଳୁନି। ଦୁର୍ବଳ ସଂଗଠନ କାରଣରୁ ମାଓବାଦୀ ନାରାୟଣପାଟଣା ମାଟି ମାଡ଼ୁନଥିବାରୁ ବିଏସ୍‌ଏଫ୍ ପରେ ଆଇଆରବି ଯବାନ କ୍ୟାମ୍ପ ଛାଡ଼ିଛନ୍ତି । ଗତ ୭ ବର୍ଷ ମଧ୍ୟରେ ଗୋଟିଏ ବି ହିଂସାକାଣ୍ଡ ଘଟିନଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ମାଓ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ନାରାୟଣପାଟଣା ବାଦ୍ ପଡ଼ିବାପରେ ଗତ ଦେଢ଼ବର୍ଷ ତଳେ ପୋଡ଼ାପଦର, ତେନ୍ତୁଳିପଦର, ପାଲୁର ବିଏସ୍‌ଏଫ୍‌ କ୍ୟାମ୍ପରୁ ଯବାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ବିଏସ୍‌ଏଫ୍ ଯବାନଙ୍କ ପରେ ସ୍ଥିତି ଉପରେ ନଜର ରଖିବାକୁ ଆଇଆର୍‌ବି ଯବାନ ମୁତୟନ ହୋଇଥିଲେ। ଗତ ୭ ବର୍ଷରେ କୌଣସି ଅଘଟଣ ନ ଘଟିବା, ବିକାଶର ମୁଖ୍ୟସ୍ରୋତରେ ଜନସାଧାରଣ ସାମିଲ୍‌ ହେବା, ସରକାରୀ ଯୋଜନାର ତ୍ବରାନ୍ବିତକୁ ସମୀକ୍ଷା କରିବାପରେ କୋରାପୁଟ ଏସ୍‌ପି ଓ ଜିଲ୍ଲାପାଳଙ୍କ ସବୁଜ ସଙ୍କେତରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଜି କୁମ୍ଭାରୀ ପଞ୍ଚାୟତର ଦଣ୍ଡାବାଡ଼ିରେ ଥିବା ପ୍ରଥମ ଆଇଆର୍‌ବି କ୍ୟାମ୍ପକୁ ଉଠାଇ ଜିଲ୍ଲା ମୁଖ୍ୟାଳୟକୁ ଯବାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଆସବାବପତ୍ର ସମେତ କ୍ୟାମ୍ପକୁ ବ୍ଲକ୍‌ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। କ୍ୟାମ୍ପ୍‌ ଚାବି ବ୍ଲକ୍‌ ପ୍ରଶାସନକୁ ଦିଆଯାଇଥିବା କହିଛନ୍ତି କୋରାପୁଟ ଆଇଆରବି ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ନାରାୟଣ ରାଉତ। ହସ୍ତାନ୍ତର ସମୟରେ ଥାନା ଏସ୍ଆଇ ପ୍ରଫୁଲ ମିଶ୍ର, ଏସଆଇ ଆର୍‌. ଶ୍ରୀନୁ ଉପସ୍ଥିତ ଥିଲେ।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୧ ମସିହାରେ ୫ ଏକର ଜଙ୍ଗଲ ଜମିରେ ଏହି କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା। ବିଏସ୍ଏଫ୍ ଯବାନ ଦୀର୍ଘ ୧୨ ବର୍ଷ ସୁରକ୍ଷା ଯୋଗାଇଥିଲେ। ବିଏସ୍ଏଫ୍ ଯବାନଙ୍କ ପରେ ଆଇଆରବି ଯବାନ ସୁରକ୍ଷା ଦାୟିତ୍ବରେ ଥିଲେ। ନାରାୟଣପାଟଣା, ପୋଡ଼ାପଦର, ପାଲୁର, କନକାରେ ଆଇଆର୍‌ବି ଯବାନ ମୁତୟନ ଅଛନ୍ତି। ପର୍ଯ୍ୟାୟକ୍ରମେ ସବୁ କ୍ୟାମ୍ପ୍‌ରୁ ଯବାନଙ୍କୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି।