ବାଲିମେଳା ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ 

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଲା ସଂରକ୍ଷିତ ଜଙ୍ଗଲରେ ବିଏସ୍‌ଏଫ୍‌ ସର୍ଚ୍ଚ ଅପରେସନରୁ ବହୁ ପରିମାଣ‌ରେ ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ସୂଚନା ଅନୁଯାୟୀ, ବାଲିମେଳା ସଂରକ୍ଷିତ ଜଙ୍ଗଲ ମାଓବାଦୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଥିବା ବେଳେ ମାଓଦମନ ପାଇଁ ବିଏସଏଫ ଏବଂ ପୁଲିସ ପକ୍ଷରୁ ସେଠାରେ ବାରମ୍ବାର ସର୍ଚ୍ଚ ଅପରେସନ କରାଯାଉଛି। ସେଭଳି ଆଜି ବିଏସଏଫ ୮୮ ବାଟାଲିଆନ ପକ୍ଷରୁ ମାଲକାନଗିରି ଜିଲ୍ଲାର ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଲାରିଗୁଡା ଏବଂ ତାଇମାଳ ଅଞ୍ଚଳରୁ ମାଓବାଦୀଙ୍କ ଦ୍ଵାରା ରଖା ଯାଇଥିବା ଏକ ଡମ୍ପକୁ ଉଦ୍ଧାର କରିଥିଲେ। ସେଥିରେ ବହୁ ମାଓ ସାମଗ୍ରୀ ରହିଥିବାର ଜଣାପଡିଥିଲା। ସେଠାରୁ ୨ଲିଟର ବିଶିଷ୍ଟ ୩ଟି ଷ୍ଟିଲ ଟିଫିନ୍ ବୋମା, ୨ଟି ଏସବିଏମଏଲ ବନ୍ଧୁକ, ଗୋଟିଏ ବ୍ୟାରେଲ୍ ଏସବିଏମଏଲ୍‌, ୨ଟି ଖାଲି ଗୁଳିର ଖୋକା, ୧୧ଟି ହ୍ୟାଣ୍ଡ ଗ୍ରେନେଡ୍, ୨୮ଟି ଡିଟୋନେଟର, ୱାକି ଟକି ସେଟ୍, ବିସ୍ଫୋରକ ପାଉଡର, ଆଇଡି ପ୍ରସ୍ତୁତ ସାମଗ୍ରୀ, ମାଓବାଦୀ ସାହିତ୍ୟ ସହ ବହୁ ସାମଗ୍ରୀ ଜବତ ହୋଇଥିବା ବିଏସଏଫ ପକ୍ଷରୁ ପ୍ରେସବିବୃତିରେ ସୂଚନା ମିଳିଛି।
ସମ୍ବନ୍ଧିତ ଖବର