ମାଲକାନଗିରିରେ ନକ୍ସଲ ପୁଲିସ ଗୁଳିବିନିମୟ ଘଟଣା: ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏସପି ପ୍ରହ୍ଲାଦ ସହାୟ ମୀନା ମାଥିଲି ଥାନା ଅନ୍ତର୍ଗତ କେରମିଟି ଜଂଗଲରେ ମାଓବାଦୀଙ୍କ ସହ ପୁଲିସର ମୁହାଁମୁହିଁ ସଂପର୍କରେ ବିସ୍ତୃତ ବିବରଣୀ ଦେବା ସହ ଏହି ଗୁଳିବିନିମୟରେ ମାଓବାଦୀ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଥିବା କହିଥିଲେ। ଜବତ ହୋଇଥିବା ମାଓ ସାମଗ୍ରୀକୁ ପ୍ରଦର୍ଶନ କରି ଏସପି ଶ୍ରୀ ମୀନା ପ୍ରକାଶ କରିଛନ୍ତି ଯେ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ମାଥିଲି ଥାନା ଅନ୍ତର୍ଗତ କେରମିଟି ଜଂଗଲରେ ଦୁର୍ଦାନ୍ତ ନକ୍ସଲ ସୁରେଶ ନିଜର ଟିମକୁ ନେଇ ସେଠାରେ କ୍ୟାମ୍ପ କରିଛି। ତୁରନ୍ତ ଏସପିଙ୍କ ନିର୍ଦେଶକ୍ରମରେ ଏସଓଜି, ଡିଭିଏଫ ଏବଂ ବିଏସଏଫ ଯବାନ ମିଳିତ ଭାବେ ଏହି ଜଂଗଲରେ ଚଢଉ କରିଥିଲେ।

ଯବାନଙ୍କୁ ଦେଶି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ମଧ୍ୟ ନିଜକୁ ସୁରକ୍ଷିତ ରଖି ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ତେବେ ଏହି ନକ୍ସଲ ଟିମକୁ ନେତୃତ୍ବ ନେଉଥିବା ସୁରେଶ ଖସି ପଳାଇବାରେ ସଫଳ ହୋଇଥିଲା। ଯବାନ ମଧ୍ୟ ସୁରଶକୁ ଜୀବନ୍ତ କିମ୍ବା ମୃତ ଧରିବା ପାଇଁ ଚେଷ୍ଟା କରିଥିଲେ। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି। ଏହି ସାମଗ୍ରୀ ମଧ୍ୟରୁ ଜୀବନ୍ତ ଗୁଳି, ମାଓ ପୁସ୍ତକ, ଛତା, କିଟ ବ୍ୟାଗ, ଔଷଧ, ମାଓ ପୋଷାକ, ଛୁରୀ, ଟର୍ଚ ଲାଇଟ ଇତ୍ୟାଦି ଦୈନନ୍ଦିନ ସାମଗ୍ରୀ ରହିଛି।

ମାଓ ଦମନରେ ମାଲକାନଗିରି ପୁଲିସ ଏବଂ ବିଏସଏଫ ମିଳିତ ଭାବେ ଚଢଉ ଜାରି ରଖିଛନ୍ତି, ଯାହାଫଳରେ ଜିଲ୍ଲାରେ ମାଓ ଗତିବିଧି ଥିଲେ ମଧ୍ୟ ସେଭଳି କୌଣସି ଅଘଟଣ ଘଟାଇବାରେ ସଫଳ ହେଉନାହାନ୍ତି। ଯବାନ ଏବେ ମଧ୍ୟ କେରମିଟି ଜଂଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ପ୍ରକାଶ ଥାଉକି ଏହି ଅଂଚଳ ଦରଭା ଡିଭିଜନରେ ଆସୁଛି।ଛତିଶଗଡ ରାଜ୍ୟ ଲାଗିଥିବାରୁ ଛତିଶଗଡ ନକ୍ସଲ ଓଡିଶା ଭିତରକୁ ପଶି ଆସୁଛନ୍ତି। ଯେଉଁଥିପାଇଁ ବିଭିନ୍ନ ସମୟରେ ନକ୍ସଲ ପୁଲିସ ଗୁଳିରୁ ବର୍ତ୍ତିଯାଉଛନ୍ତି। ତେବେ ମାଲକାନଗିରି ପୁଲିସ କିନ୍ତୁ ଲଗାତାର ନକ୍ସଲ ଗତିବିଧି ଉପରେ ନଜର ରଖିଥିବା ବେଳେ କୌଣସି ଅଘଟଣକୁ ଏଡାଇବା ପାଇଁ ଗୁଇନ୍ଦାକୁ ୨୪ ଘଣ୍ଟା ସଜାଗ ରଖିଛି। ଏସପି ଶ୍ରୀ ମୀନା ନିବେଦନ କରିଛନ୍ତି ଯେ ମାଓ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାନ୍ତୁ। ସରକାର ଆତ୍ମସମର୍ପଣ କରୁଥିବା ସମସ୍ତ ନକ୍ସଲଙ୍କୁ ସହଯୋଗ କରିବେ। ବଂଚିବାର ଏକ ରାହା ଦେଖାଇବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର