ମାଓନେତା ସବ୍ୟସାଚୀଙ୍କୁ ଆଶ୍ରୟ ଦେବା ଘଟଣା: ହାଇଦ୍ରାବାଦରୁ ମାଓନେତା ଗିରଫ

ବ୍ରହ୍ମପୁର : ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁରସ୍ଥିତ ବାସଭବନରେ ଆଶ୍ରୟ ଦେଇଥିବା ପୂର୍ବତନ ମାଓନେତା ଏ. ଚନ୍ଦ୍ର ରାଓଙ୍କୁ ତେଲେଙ୍ଗାନା କରିମ୍‌ନଗର ପୁଲିସ ହାଇଦ୍ରାବାଦ୍‌ରୁ ଗିରଫ କରିଥିବା ଜଣାଯାଇଛି।

ଓଡ଼ିଶା ପୁଲିସର ମୋଷ୍ଟ୍‌ ୱାଣ୍ଟେଡ଼୍‌ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁର ବଡ଼ବଜାର ମଙ୍ଗଳବାରପେଟା ସାହିର ଏକ ଘରୁ ପୁଲିସ ଗିରଫ କରିଥିଲା। ନିଜ ଘରେ ଭଡ଼ାଟିଆ ଚାଉଳ ବେପାରୀ ବାହାନାରେ ଆ‌ଶ୍ରୟ ଦେଇଥିବା ଅଭିଯୋଗରେ ବ୍ରହ୍ମପୁର ପୁଲିସ ୨୦୧୬ ମସିହାରେ ଚନ୍ଦ୍ର ରାଓଙ୍କୁ ପରବର୍ତ୍ତୀ ସମୟରେ ଗିରଫ କରିଥିଲା। ଜାମିନ ପାଇବା ପରେ ତାଙ୍କର ଅବସ୍ଥାନ ସମ୍ପର୍କରେ କୌଣସି ସୂଚନା ନଥିଲା। ବର୍ତ୍ତମାନ ତେଲେଙ୍ଗାନା ପୁଲିସ ମାଓ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗରେ ଚନ୍ଦ୍ର ରାଓଙ୍କୁ ପୁଣି ଗିରଫ କରିଛି। ସେ ଯୁବକଯୁବତୀଙ୍କୁ ମାଓ ସଂଗଠନ, ମାଓନୀତି ଓ ଆଦର୍ଶରେ ଅନୁପ୍ରାଣିତ କରାଇବା ନେଇ ଶିକ୍ଷାକେନ୍ଦ୍ର ଖୋଲିଥିବା ତେଲେଙ୍ଗାନା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।
ପୁଲିସ କହିଛି, ଚନ୍ଦ୍ର ରାଓ ଫେସ୍‌ବୁକ୍‌ ଜରିଆରେ ଯୁବକଯୁବତୀଙ୍କୁ ମାଓ ଆଦର୍ଶ ଓ ନୀତି ଉପରେ ଶିକ୍ଷା ଦେଉଥିଲେ। ଗତ ଶୁକ୍ରବାର ଦିନ ଚନ୍ଦ୍ର ରାଓ ତେଲେଙ୍ଗାନାରେ ଏକ ମାମଲାରେ ଆଗୁଆ ଜାମିନ ପାଇଁ ହାଇଦ୍ରାବାଦ ହାଇକୋର୍ଟକୁ ଯାଉଥିବା ସୂଚନା ପାଇ କରିମ୍‌ନଗର ପୁଲିସ ଅଧା ରାସ୍ତାରୁ ତାଙ୍କୁ ଗିରଫ କରି ନେଇଥିବା ଜଣାଯାଇଛି। ଏ ସଂପର୍କରେ ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରେ ତେଲେଙ୍ଗାନା ପୁଲିସ ଚନ୍ଦ୍ର ରାଓଙ୍କୁ ଗିରଫ କରିଥିବା ବିଷୟକୁ ସେ ସ୍ବୀକାର କରିଛନ୍ତି। ତେବେ ଓଡ଼ିଶାରେ ତାଙ୍କ ନାମରେ କୌଣସି ମାମଲା ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର