ମାଓନେତାଙ୍କୁ ମିଳିପାରୁନି ଚିକିତ୍ସା, ଜଣକ ପରେ ଜଣେ ମୃତ୍ୟୁର ଶିକାର

ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ମାଓବାଦୀମାନଙ୍କ ଦୁର୍ଗ ଭୁଶୁଡ଼ି ପଡୁଛି। ମାଓବାଦୀମାନେ ଖୋଲାଖୋଲି ଭାବେ ପଦାକୁ ଆସିପାରୁ ନାହାନ୍ତି। ଫଳରେ ସେମାନଙ୍କର ପ୍ରାଦୂର୍ଭାବ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ମାଓବାଦୀମାନେ ଯେତେବେଳେ କୌଣସି ଗୁରୁତର ରୋଗର ସମ୍ମୁଖୀନ ହେଉଛନ୍ତି,  ଚିକିତ୍ସାର ଘୋର ଅଭାବ ଦେଖାଯାଉଛି। କାରଣ ହସ୍‌ପିଟାଲ ଯିବାକୁ ସୁଯୋଗ ମିଳିପାରୁ ନାହିଁ। ପୁଲିସ ସବୁବେଳେ ମାଓବାଦୀଙ୍କ ଉପରେ ନଜର ରଖୁଛି।

ମାଓବାଦୀଙ୍କ ସପ୍ଲାଇ ଚେନ୍‌ ପୂର୍ବଭଳି ଆଉ କାମ କରୁ ନାହିଁ। ପୁଲିସର କଡ଼ା ଆଭିମୁଖ୍ୟ ଯୋଗୁଁ ମାଓନେତା ଅକ୍କିରାଜ ହରଗୋପାଳ ଓରଫ୍‌ ଆର.କେ(ରାମକୃଷ୍ଣ)ଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି। ମାଓ ନେତା ରାମକୃଷ୍ଣଙ୍କ ମୃତ୍ୟୁ ପରେ ଛତିଶଗଡ଼ ପୁଲିସ ମୁହଁ ଖୋଲିଛି। ୫ ରାଜ୍ୟରେ ମିଳିତ ଉଦ୍ୟମ ଯୋଗୁ ମାଓବାଦୀଙ୍କ ଯୋଗାଣ ନେଟଓର୍କ ଧ୍ୱଂସ ହେଉଛି। ଔଷଧ ନ ପାଇ ରାମକୃଷ୍ଣଙ୍କ ସମେତ ରାମାନ୍ନା, ହରିଭୁଷଣଙ୍କ ମୃତ୍ୟୁ ଘଟିଛି। ଜୋନାଲ କମିଟି ସଦସ୍ୟ ସୋବରାଏ ଓ ଗଂଗା ଔଷଧ ଅଭାବ ଯୋଗୁ ପ୍ରାଣ ହରାଇଛନ୍ତି। ଆରକେଙ୍କ ମୃତ୍ୟୁ ପରେ ବସ୍ତର ଆଇଜି ସୁନ୍ଦର ରାଜ ପି ଏହି ପ୍ରତିକ୍ରିୟା ରଖିଛନ୍ତି। ମାଓନେତା ବିନୋଦ ସମେତ ଅନେକ କ୍ୟାଡର ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି।

ମାଓନେତା ରାମକୃଷ୍ଣଙ୍କ ମୃତ୍ୟୁ ହୋଇଥିବା ନେଇ ମାଓବାଦୀ କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ଏକ ତେଲୁଗୁ ଭାଷାରେ ଏକ ପ୍ରେସ୍‌ ବାର୍ତ୍ତା ଜାରି କରିଛନ୍ତି। କେନ୍ଦ୍ରୀୟ କମିଟି ସଦସ୍ୟ ଅକିରାଜୁ ହରଗୋପାଲ ଛଦ୍ମନାମ ରାମକୃଷ୍ଣ ଛଦ୍ମନାମ ଆର.କେଙ୍କର କିଡନି ଫେଲ୍‌ ହେତୁ ୬୩ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଏଥିରେ କୁହାଯାଇଛି। ହରଗୋପାଳଙ୍କୁ ବଂଚାଇବା ପାଇଁ ବହୁ ଉଦ୍ୟମ କରାଯାଇଥିଲା। ଅକ୍ଟୋବର ୧୪ ତାରିଖରେ ସକାଳ ୬ଟାରେ ଏହି ମୃତ୍ୟୁ ଘଟିଛି। ତେବେ କେଉଁଠାରେ ଆର.କେଙ୍କ ମୃତ୍ୟୁ କେଉଁଠାରେ ଘଟିଲା ସେ ନେଇ ପ୍ରେସ୍‌ ବାର୍ତ୍ତାରେ କୌଣସି ସୂଚନା ଦିଆଯାଇନାହିଁ।

MyNation

ହରଗୋପାଳଙ୍କ ପତ୍ନୀଙ୍କ ବୟାନ
ମାଓନେତା ହରଗୋପାଳଙ୍କ ପତ୍ନୀ ସିରିଶା ଶୁକ୍ରବାର ମାଓବାଦୀ ସେଣ୍ଟ୍ରାଲ କମିଟି ଦ୍ୱାରା ଜାରି ବୟାନକୁ ଖଣ୍ଡନ କରିଛନ୍ତି। ଛତିଶଗଡ଼ ଜଙ୍ଗଲରେ ଲୁଚିଥିବା ତାଙ୍କର ସ୍ୱାମୀଙ୍କୁ ପୁଲିସ ଘେରିଥିଲା ଏବଂ ଏହି କାରଣରୁ ଉଚିତ ଚିକିତ୍ସା ମିଳିପାରି ନଥିଲା। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାସ୍ଥିତ ନିଜର ପୈତୃକ ଗାଁରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସିରିଶା କହିଛନ୍ତି ଯେ, ହରଗୋପାଳଙ୍କ ରୋଗରେ ମୃତ୍ୟୁ ହୋଇ ନାହିଁ। ବରଂ ସରକାରଙ୍କ ଦ୍ୱାରା ହତ୍ୟା। ତାଙ୍କ ସ୍ୱାମୀଙ୍କୁ କେମିତି ମିଳିପାରିଥାନ୍ତା? କାରଣ ତାଙ୍କୁ ସଠିକ୍‌ ସମୟରେ ଚିକିତ୍ସା ମିଳିପାରି ନଥିଲା। ଜଙ୍ଗଲରୁ ବାହାରିବା ପାଇଁ କୌଣସି ରାସ୍ତା ନଥିଲା। କାରଣ ପୁଲିସ ଚାରିଆଡୁ ଘେରି ରହିଥିଲା।

ଆର.କେଙ୍କ ନାଁରେ ୨୦୦ରୁ ଊର୍ଦ୍ଧ୍ୱ ମାମଲା
ସୂଚନାଯୋଗ୍ୟ, ଆର.କେଙ୍କ ନାଁରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ପୁରସ୍କାର ରହିଛି। ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ କମିଟିର ସଂପାଦକ ଥିଲେ। ରାମାଗୁଡା ଏନକାଉଣ୍ଟର ପରେ ସଂପାଦକ ପଦରୁ ଓହରିଥିଲେ। ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡ୍ଡୀଙ୍କ ସମୟରେ ଶାନ୍ତି ବାର୍ତ୍ତା ଲାଗି ବାହରିଥିବା ମାଓବାଦୀ ନେତାଙ୍କ ନେତୃତ୍ୱ ନେଇଥିଲେ। ଓଡ଼ିଶାରେ ଆର୍‌କେଙ୍କ ନାଁରେ ରହିଛି ୨୦୦ରୁ ଊର୍ଦ୍ଧ୍ୱ ମାମଲା।

ମାଓ ନେତା ରାମାନ୍ନା
ନକ୍ସଲ ସଂଗଠନର ଆଗଧାଡ଼ିର ନେତା ରାମାନ୍ନା ଓରଫ ରାମକ୍ରିଷ୍ଣନଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଏହା ୨୦୧୯ ଡିସେମ୍ବର ମାସର ଘଟଣା। ଓଡ଼ିଶା ସମେତ ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପୁଲିସ ପାଇଁ ରାମାନ୍ନା ଥିଲେ ମୋଷ୍ଟ ୱାଣ୍ଟେଡ। ଏକାଧିକ ଥର ପୁଲିସ ପକ୍ଷରୁ ଗିରଫ ପାଇଁ ପ୍ରୟାସ ହୋଇଥିଲେ ହେଁ ପ୍ରତ୍ୟେକ ଥର ସେ ଚକମା ଦେଇ ଖସି ଯାଉଥିଲେ। ଶେଷରେ ତାଙ୍କ ମୃତ୍ୟୁ ଖବର ମିଳିବା ପରେ ପୁଲିସକୁ ଆଶ୍ୱସ୍ତି ମିଳିଥିଲା।

କ୍ୟାଡର ମାଓ ନେତାଙ୍କୁ ମଧ୍ୟ ଚିକିତ୍ସା ଅଭାବ
କେବଳ ମାଓ ନେତା ନୁହନ୍ତି। ବରଂ ମାଓ କ୍ୟାଡରମାନଙ୍କୁ ମଧ୍ୟ ଚିକିତ୍ସା ମିଳିପାରୁ ନାହିଁ, ଯେଉଁଥି ପାଇଁ ସେମାନଙ୍କୁ ମୃତ୍ୟୁର ଶିକାର ହେବାକୁ ପଡୁଛି। ଗତ କିଛି ମାସ ପୂର୍ବରୁ ଟପ୍‌ ମାଓ ନେତା ହରିଭୂଷଣଙ୍କର ମୃତ୍ୟୁ ହେବା ଏବଂ ପରେ ପରେ ମାଓନେତ୍ରୀ ବୁଦ୍ରିକା ଅରଫ ଭାରତଆକ୍କାଙ୍କର ମଧ୍ୟ ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଥିଲା। ଅତୀତରେ ମାଓନେତା ସୋନୁ, ଜୟମନ, ନନ୍ଦୁ ସହ ଅନ୍ୟ ମାଓ କ୍ୟାଡରମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ସହ ଲଢେଇ କରିଛନ୍ତି।

ସମ୍ବନ୍ଧିତ ଖବର