ଆତ୍ମସମର୍ପଣ କଲା ଦୁର୍ଦାନ୍ତ ମାଓନେତା କୁନୁ

ଯବାନଙ୍କ ଆକ୍ରମଣ, କ୍ୟାଡର୍‌ ଦୁର୍ବଳ ଯୋଗୁଁ ଛାଡ଼ିଲେ ସଂଗଠନ

ଭୁବନେଶ୍ୱର : ଦୀର୍ଘ ୧୬ବର୍ଷ ଧରି ମାଓ କାର୍ଯ୍ୟକଳାପରେ ଲିପ୍ତ ଥିବା ଏସ୍‌ଡିଏସ୍‌(ସମ୍ବଲପୁର-ଦେଓଗଡ଼-ସୁନ୍ଦରଗଡ଼) ଡିଭିଜନ୍‌ର ମୁଖ୍ୟ ତଥା ଦୁର୍ଦାନ୍ତ ମାଓ ନେତା କୁନୁ ଦେହୁରି ଆଜି ସମ୍ବଲପୁର ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଏନେଇ ଆଜି ଡିଜି କ୍ୟାମ୍ପ ଅଫିସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନିର୍ଦେଶକ ଆର୍‌ପି ଶର୍ମା ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ମୂଳନିବାସୀ କୁନୁ ୨୦୦୨ ମସିହାରେ ଏମ୍‌ସିସି-ଆଇ(ମାଓ କମ୍ୟୁନିଷ୍ଟ ସେଣ୍ଟର ଅଫ୍‌ ଇଣ୍ଡିଆ)ରେ ଯୋଗ ଦେଇଥିଲା। ଦୀର୍ଘ ୧୩ ବର୍ଷ ଧରି ସମ୍ବଲପୁର-ଦେଓଗଡ଼-ସୁନ୍ଦରଗଡ଼ ଡିଭିଜନ୍‌ରେ ଆଧିପତ୍ୟ ବିସ୍ତାର କରି ନିଜର ତାକତ ଦେଖାଇଥିଲା। ୨୦୧୫ରେ ଏସ୍‌ଡିଏସ୍‌ ଡିଭିଜନ୍‌ ମୁଖ୍ୟ ଭାବେ ସିପିଆଇ(ଏମ୍‌)ରେ ଯୋଗ ଦେଇଥିଲା। ଏହାପରେ କୁନୁ ପତ୍ନୀ ନଳିନୀ ବିଶ୍ୱାଳକୁ ମଧ୍ୟ ନିଜ କ୍ୟାଡର୍‌ରେ ସାମିଲ କରିଥିଲା। ଆଉ କୁନୁର ଇଙ୍ଗିତରେ ଘଟୁଥିଲା ସମସ୍ତ ଅପରାଧ। ସମସ୍ତ ଅପରେସନ୍‌ ପାଇଁ କୁନୁ ତିଆରି କରୁଥିଲା ନକ୍ସା। ଯାହାକୁ ନେଇ ପୁଲିସ ନାକେଦମ ହୋଇପଡ଼ିଥିଲା। ଗତ ୧୬ ବର୍ଷ ମଧ୍ୟରେ କୁନୁ ନାମରେ ୫୧ରୁ ଅଧିକ ଅପରାଧିକ ମାମଲା ହୋଇଥିଲା। ଯେଉଁଥିରେ ସମ୍ବଲପୁର ଅଞ୍ଚଳରେ ୪୨ଟି, ରାଉରକେଲା ଅଞ୍ଚଳରେ ୫ଟି ଓ ଦେଓଗଡ଼ରେ ୪ଟି ଅପରାଧିକ ମାମଲାର ମୁଖ୍ୟ ଥିଲା କୁନୁ। କୁନୁକୁ ଧରିବା ପାଇଁ ପୁଲିସ ଆଖିରୁ ନିଦ ହଜିଯାଇଥିଲା। ତାକୁ ମୃତ କିମ୍ବା ଜୀବିତ ଧରାଇଦେବା ପାଇଁ ୮ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିଲା।

ଅନ୍ୟପକ୍ଷରେ ବିଭିନ୍ନ ସମୟରେ ଯବାନମାନେ ମାଓ କ୍ୟାମ୍ପ ଗୁଡ଼ିକରେ ଗୁଳିବର୍ଷା କରିଥିଲେ। ଫଳରେ ଧୀରେ ଧୀରେ କ୍ୟାଡର୍‌ ଦୁର୍ବଳ ହେବାରେ ଲାଗିଥିଲା। ଏପଟେ ଯବାନଙ୍କ ଅତର୍କିତ ଆକ୍ରମଣ ଆତ୍ମସମର୍ପଣ ପାଇଁ ବାଧ୍ୟ କରିଥିଲା ବୋଲି କୁନୁ ସମ୍ବଲପୁର ପୁଲିସ ନିକଟରେ ସ୍ୱୀକାର କରିଥିବା ଡିଜି ଶ୍ରୀ ଶର୍ମା କହିଛନ୍ତି। ତେବେ ଆତ୍ମସମର୍ପଣ କରିବା ପରେ କୁନୁଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର