ମାଓନେତା କୈଳାସର ଅଡିଓ ଟେପ୍ ଭାଇରାଲ୍, ଦୁଇ ଜଣକୁ ଲୁଚେଇ ରଖିଛି ପୁଲିସ୍!

ମାଲକାନଗିରି: ମାଓନେତା କୈଳାସର ଅଡିଓ ଟେପ୍ ଭାଇରାଲ୍ ହେବାରେ ଲାଗିଛି। ମୃତ ମାଓବାଦୀଙ୍କ ବିଷୟରେ କହି ଏହି ଅଡିଓ ଟେପ୍ ଜାରି କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ୨ ଦିନ ତଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଯେଉଁ ଗୁଳିବିନିମୟ ହୋଇଥିଲା ସେଥିରେ ପୁଲିସ ଷଡ଼ଯନ୍ତ୍ରକରି ଦୁଇ ମାଓ ନେତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ଆନ୍ଧ୍ର- ଓଡ଼ିଶା ବୋର୍ଡ ଜୋନାଲ କମିଟିର ସେକ୍ରେଟାରି କୈଳାସ।

ଚଳିତ ମାସ ୧୩ ତାରିଖରେ ସିଂଘରାମ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ମିଥ୍ୟା ବୋଲି କୈଳାସ ତେଲୁଗୁ ଭାଷାରେ ଅଡିଓ ଟେପରେ  କହିଛନ୍ତି। ମୃତ ଦୁଇ କମ୍ରେଡ ମାଲେସ ଓ ମହିଳା କାନ୍ତାମା ବିଶ୍ରାମ ନେଉଥିବା ବେଳେ ପୁଲିସ ଉଭୟଙ୍କୁ ଧରି ହତ୍ୟା କରିବା ସହ ଆଉ ଦୁଇ ଜଣକୁ ଲୁଚେଇ ରଖିଛି। ଏହି ଦୁଇ ଜଣକୁ କୋର୍ଟରେ ହାଜର କରିବା ପାଇଁ ଦାବି କରୁଛି ମାଓ ସଂଗଠନ।
ସେ ଏହି ଅଡିଓ ଟେପରେ ଆହୁରି ମଧ୍ୟ କହିଛନ୍ତି ଯେ ମାଓ ସଂଗଠନ ବିଚ୍ଛିନ୍ନାଞ୍ଚଳର ଲୋକଙ୍କ ମୌଳିକ ସମସ୍ୟା ସମାଧାନ ନିମନ୍ତେ ଲଢେଇ ଜାରି ରଖିଛି। ଆମ ଲଢେଇକୁ ଦବେଇ ଦେବା ନିମନ୍ତେ ବିଚ୍ଛିନ୍ନାଞ୍ଚଳରେ ପୁଲିସ୍ ୧୦ଟି ଶିବିର ପ୍ରତିଷ୍ଠା କରିଛି ଓ ଆହୁରି ଚାରିଟି ଶିବିର ପ୍ରତିଷ୍ଠା କରିବାର ଯୋଜନା କରିଛି।
ମୃତ ମାଓ କମ୍ରେଡ ମାଲେସ ଓ କାନ୍ତାମା ଦଣ୍ଡକାରଣ୍ୟ ଦଳର ୧୮ବର୍ଷ ଧରି ସକ୍ରିୟ ସଦସ୍ୟ ଥିଲେ। ଏ ଦୁହିଁଙ୍କ ବିୟୋଗ ଦଳ ନିମନ୍ତେ ଅପୂରଣୀୟ କ୍ଷତି ବୋଲି ସେ ଦର୍ଶାଇଛନ୍ତି। ଏହି ଦୁହିଁଙ୍କ କ୍ଷତିକୁ ଆମେ ଭରଣା କରିବୁ ବୋଲି ମାଓନେତା କୈଳାସ କଡ଼ା ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର