ପୁଣି ଖସିଗଲା ମାଓ ନେତା ସୁଦର୍ଶନ: ଗନ୍ଧମାର୍ଦ୍ଦନରେ ଗୁଳି ବିନିମୟ, ମାଓକ୍ୟାମ୍ପ୍‌ରୁ ବିଭିନ୍ନ ସାମଗ୍ରୀ ଜବତ

ବରଗଡ଼: ପୁଣିଥରେ ଖସିବାରେ ସଫଳ ହୋଇଛି ଟପ୍‌ ମାଓକ୍ୟାଡର ସୁଦର୍ଶନ। ଗୋଟିଏ ମାସ ଭିତରେ ପୁଲିସ୍‌ଠାରୁ ଦ୍ୱିତୀୟଥର ପାଇଁ ସେ ଖସିଯାଇଛି। ଏଥର ସଂଧ୍ୟା ସମୟରେ ସର୍ଚ୍ଚ ଅପରେସନ ଥିବାରୁ ଅନ୍ଧାରର ସୁଯୋଗନେଇ ସେ ଖସିଯାଇଥିବା ଏସ୍‌ପି ପ୍ରହଲ୍ଲାଦ ସହାୟ ମିନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟପଟେ ପୁଲିସ୍‌ ମାଓକ୍ୟାମ୍ପ ଠାବ କରିବାସହ ସେଠାରୁ ବିଭିନ୍ନପ୍ରକାର ମାଓ ସାମଗ୍ରୀ ଜବତ କରିଛି। ଏସ୍‌ପି ଶ୍ରୀ ମିନା କହିଛନ୍ତି, ଗତ ୮ ତାରିଖ ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ହୋଇଥିଲା। ଗୁଇନ୍ଦା ସୂଚନାନୁସାରେ ଗନ୍ଧମାର୍ଦ୍ଦନ ନୃସିଂହନାଥ ପାହାଡ଼ ଉପରେ ଅପରେସନ ଚାଲିଥିଲା। ଦିନବେଳା ସର୍ଚ୍ଚ ଅପରେସନ ସମୟରେ ମାଓବାଦୀମାନେ ପୁଲିସ୍‌ ଉପରକୁ ଗୁଳିଚାଳନା କରିଥିଲେ। ଏହାର ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ପରେ ସଂଧ୍ୟାରେ ପୁଣିଥରେ ଉଭୟପଟରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ପ୍ରାୟ ୧୫ ଜଣିଆ ମାଓବାଦୀ ଟିମ୍‌ ବିବିଏମ୍‌ ଡିଭିଜନର ରହିଥିଲେ। ଉଭୟ ପୁରୁଷ ଓ ମହିଳା କ୍ୟାଡର ଥିବା ସୂଚନା ମିଳିଥିବା ନେଇ ଏସ୍‌ପି କହିଛନ୍ତି। ମାଓକ୍ୟାମ୍ପ୍‌ରୁ ବ୍ୟାଟେରି, ଚାର୍ଜର, ଥର୍ମଫ୍ଲାସ, ମାଓ ପୁସ୍ତିକା, ଔଷଧ ସହ ରୋଷେଇ ସାମଗ୍ରୀ ଆଦି ଜବତ କରାଯାଇଛି। ତେବେ, ଆଗକୁ ନିର୍ବାଚନ ଥିବାରୁ କମ୍ବିଂ ଅପରେସନ ଜାରି ରହିଥିବା ସେ କହିଛନ୍ତି। ଏଥିସହିତ, ମାଓବାଦୀମାନେ ହିଂସାର ରାସ୍ତାକୁ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏସ୍‌ପି ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର