ଗଂଜେଇ ଚାଷକୁ ସମର୍ଥନ ଜଣାଇଲେ ମାଓନେତା, କହିଲେ- ପ୍ରଶାସନର ଚଢ଼ଉ ଲାଗି ରୋଜଗାର ହରାଇଲେ ଲୋକେ

ଗଂଜେଇ ଚାଷ ବନ୍ଦ କଲେ, ରୋଜଗାରର ବାଟ ଦେଖାନ୍ତୁ: ମାଓନେତା ଗଣେଶ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ଲୋକେ ଗଂଜେଇ ଚାଷ କରି ବେଶ ଦିପଇସା ରୋଜଗାର କରୁଥିଲେ। ଏବେ ପୁଲିସ ଏବଂ ଅବକାରୀ ବିଭାଗର  ଘନ ଘନ ଚଢଉ ହେବା ପରେ ଏହି ଅଂଚଳରେ ଗଂଜେଇ ଚାଷ ଲୋପ ପାଇବାକୁ ବସିଲାଣି। ତେଣୁ ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ କମିଟିର ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସ୍ବରତ୍ତୋଳନ କରିଛନ୍ତି। ସ୍ବାଭିମାନ ଅଂଚଳ ଭଳି ଦୁର୍ଗମ ଏବଂ ଉପାନ୍ତ ଅଂଚଳରେ ରହୁଥିବା ଆଦିବାସୀଙ୍କ ପାଇଁ କୌଣସି ରୋଜଗାରର ପନ୍ଥା ନଥିବା ବେଳେ ଏମାନେ ଗଂଜେଇ ଚାଷ କରି ଟଂକା ରୋଜଗାର କରୁଥିଲେ। କିନ୍ତୁ ପ୍ରଶାସନର ଚଢ଼ଉରେ ଏହି ଗଂଜେଇ ଚାଷ ଏବେ ବନ୍ଦ ହେବାକୁ ବସିଲାଣି। ତେଣୁ ଆଦିବାସୀଙ୍କ ରୋଜଗାରରେ ବାଧା ସୃଷ୍ଟି ହେଉଛି। ପୁଲିସ ଏବଂ ରାଜନେତା ଏହି ଚାଷର ଫାଇଦା ଉଠାଉଥିବା ବେଳେ ଚାଷୀ ଲାଭ ପାଉନଥିବା କହିଛନ୍ତି ମାଓନେତା ଗଣେଶ। ଯଦି ଗଂଜେଇ ଚାଷ ବନ୍ଦ କରାଯାଏ ତେବେ ଏହି ଅଂଚଳରେ ଲୋକେ କିପରି ଆତ୍ମନିର୍ଭରଶୀଳ ହେବେ ସେନେଇ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି।ନିଜେ ସ୍ବାବଲମ୍ବୀ ହେବା ସହ ନିଜ ପରିବାରକୁ ମଧ୍ୟ ସେମାନେ ପୋଷିପାରିବେ ବୋଲି କୁହାଯାଇଛି।

ତେବେ ଏହି ଗଂଜେଇ ଚାଷକୁ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ମଓବାଦୀ ସମର୍ଥନ କରିବା ସହ ଏଥିରୁ ମୋଟା ଅଂକର ଟଂକା ରୋଜଗାର କରୁଥିବା ପୁଲିସ କହିଛି।ସ୍ବାଭିମାନ ଅଂଚଳର ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଯିବା ସହ ଲୋକେ ଆଉ ଆଗକୁ ଗଂଜେଇ ଚାଷ ନକରି ପାରଂପାରିକ ଚାଷ କରି ବଞ୍ଚିବେ ବୋଲି ନାମ ଗୋପନ ରଖି କିଛି ସରକାରୀ ବାବୁ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ତାଲିମ ଦିଆଯିବା ସହ ସରକାରୀ ସହାୟତା ପ୍ରଦାନ କରାଯିବ।ମାଓନେତା ଗଣେଶ କିନ୍ତୁ ଲୋକଙ୍କ ରୋଜଗାର ବୁଡିଯିବା ନେଇ ଦୁଃଖ ପ୍ରକାଶ କରି ସେମାନଙ୍କୁ ତୁରନ୍ତ ସ୍ବାବଲମ୍ବୀ କରାଇବା ପାଇଁ ଦାବି କରିଛନ୍ତି।ଅନ୍ୟଦିଗରେ କିନ୍ତୁ ସ୍ବାଭିମାନ ଅଂଚଳର ଲୋକେ ଗଂଜେଇ ଚାଷ କରି ସବୁବେଳେ କ୍ଷତି ସହୁଥିବା କହିଛନ୍ତି।ଗୋଟିଏ ଦିଗରେ ନକ୍ସଲ ଏଥିରୁ ଭାଗ ନେଉଥିବା ବେଳେ ମାଫିଆମାନେ ମଧ୍ୟ ଟଂକା ଠିକ ଭାବେ ଦେଉନଥିବା ସ୍ବାଭିମାନ ଅଂଚଳବାସୀ କହନ୍ତି।ତେବେ ଯଦି ଗଂଜେଇ ଚାଷ ବନ୍ଦ ହୋଇଯାଏ ତେବେ କାହାର କ୍ଷତି ହେବ ତାହା ସମସ୍ତେ ଜାଣନ୍ତି ବୋଲି ପ୍ରଶାସନ କହିଛି।

ଆଗାମୀ ଦିନରେ ସ୍ବାଭିମାନ ଅଂଚଳରେ ହେଉଥିବା ଗଂଜେଇ ଚାଷକୁ ସଂପୂର୍ଣ୍ଣ ମୁଳତ୍ପାଟନ କରାଯିବ ବୋଲି ପ୍ରଶାସନ ଏବେ ଠାରୁ ସଜବାଜ ହେଉଛି। ସ୍ବାଭିମାନ ଅଂଚଳରେ ସଂପୂର୍ଣ୍ଣ ରୂପେ ଗଂଜେଇ ଚାଷକୁ ବନ୍ଦ କରାଯିବା ସହ ଲୋକଙ୍କୁ ସ୍ବାବଲମ୍ବୀ କରାଯିବ। ଏବେ ଧିରେ ଧିରେ ଗଂଜେଇ ଚାଷ ବନ୍ଦ ହୋଇ ଆସୁଥିବା ବେଳେ ନକ୍ସଲ ନିଜର ଫାଇଦା ପାଇପାରୁନଥିବାରୁ ଏଭଳି କହୁଥିବା ପୁରିସ ପ୍ରଶାସନ କହିଛି। ବର୍ତ୍ତମାନ ଗଂଜେଇ ଅମଳ କରିବାର ସମୟ ହୋଇଥିବାରୁ ଆସନ୍ତା କିଛି ଦିନ ମଧ୍ୟରେ ଅବକାରୀ ଏବଂ ପୁଲିସ ବିଭାଗ ତରଫରୁ ଗଂଜେଇ ଗଛ ନଷ୍ଟ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଲିସ ଏବଂ ଅବକାରୀ ବିଭାଗର ଚଢଉରେ ଗଂଜେଇ ମାଫିଆମାନେ ମଧ୍ୟ ପ୍ରମାଦ ଗଣିଲେଣି। ଜିଲ୍ଲାରୁ ଯେଭଳି ନକ୍ସଲଙ୍କର ଦବଦବା ରହିଲା ନାହିଁ। ସେହିପରି ଗଂଜେଇକୁ ମଧ୍ୟ ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର