କଳାହାଣ୍ଡି: ବିପୁଳ ମାଓ ସାମଗ୍ରୀ ଜବତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ତଥା ନିୟମଗିରି ପାହାଡ଼ ସଂଲଗ୍ନ ତାଡ଼ିଝୁଲା ଗାଁ ନିକଟସ୍ଥ ଜଙ୍ଗଲରୁ ଶନିବାର ବିପୁଳ ପରିମାଣର ମାଓ ସାମଗ୍ରୀ ତ୍ରିଲୋଚନପୁର ସିଆର୍‌ପିଏଫ୍ ଚତୁର୍ଥ ବାଟାଲିୟନ୍‌ର ଯବାନମାନେ ଜବତ କରିଛନ୍ତି।

ସେକେଣ୍ଡ ଇନ୍ କମାଣ୍ଡେଣ୍ଟ୍ ନିତୁ ରାୟଙ୍କ ନେତୃତ୍ବରେ ଯବାନମାନେ କମ୍ବିଂ ଅପରେସନ ଜାରି ରଖିଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ତାଡ଼ିଝୁଲା ଜଙ୍ଗଲ ନିକଟ ମାଓ କ୍ୟାମ୍ପ୍‌ ଉପରେ ଚଢ଼ଉ କରିଥିଲେ। ଏହି ସମୟରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ତାଡ଼ିଝୁଲା ଜଙ୍ଗଲରେ ବିପୁଳ ପରିମାଣର ମାଓ ସାମଗ୍ରୀ ତଥା ୨ଟି ଦେଶୀ ବନ୍ଧୁକ, ପଲିଥିନ୍‌ ୫ଟି, ତାର ଏକ ବଣ୍ଡଲ୍‌, ଜେଲୋଟିନ୍‌ ଷ୍ଟିକ୍‌ ୩୫ଟି, ଲୁଜ୍‌ ୱେୟାର ୧୦ ମିଟର, ରିମୋଟ୍‌ କଣ୍ଟ୍ରୋଲ ଗୋଟିଏ, ଟେପ୍‌ ରେକର୍ଡର ଗୋଟିଏ, ଷ୍ଟିଲ କଣ୍ଟେନର୍‌ ୩ଟି, ୟୁରିଆ ୧୫ କେଜି, ଡିଟୋନେଟର ୫୦ଟି, ଟର୍ଚ୍ଚଲାଇଟ୍ ୪ଟି, ସେଲୋଟେପ୍‌ ୩ଟି, ପ୍ଲାଷ୍ଟିକ୍‌ ରଶି ୫୦ ମିଟର, ଛତା ୨ଟି, ନିପୋ ବ୍ୟାଟେରି ୩ଟି, ମାଓ ବ୍ୟାନର ଗୋଟିଏ ଜବତ ହୋଇଛି। ଏହି ସାମଗ୍ରୀକୁ ସିଆର୍‌ପିଏଫ୍‌ ଯବାନମାନେ ତ୍ରିଲୋଚନପୁରସ୍ଥିତ ସିଆରପିଏଫ୍ କ୍ୟାମ୍ପକୁ ଆଣିଥିଲେ। ପରେ ଏହି ସାମଗ୍ରୀକୁ ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସଙ୍କୁ ହସ୍ତାନ୍ତର କରାଯାଇଥିଲା। ବେଶ୍‌ କିଛିଦିନର ନିରବତା ପରେ ନିୟମଗିରି ସଂଲଗ୍ନ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ସକ୍ରିୟ ଥିବା ବଂଶଧାରା, ଘୁମୁସର, ନାଗାବଳୀ ଡିଭିଜନ୍‌ କମିଟି ପକ୍ଷରୁ ଏଭଳି ଗୁପ୍ତ କ୍ୟାମ୍ପ ରହିଥିବା ସୂଚନା ପାଇ ସିଆର୍‌ପିଏଫ୍‌ ଯବାନମାନେ ଚଢ଼ଉ କରିଛନ୍ତି।

ସମ୍ବନ୍ଧିତ ଖବର