ସହିଦ ସପ୍ତାହରେ ମାଓ ମେଳି, ସକ୍ରିୟ ହେଉଛି କେକେବିଏନ୍ ଡିଭିଜନ୍

ଦୁର୍ଦ୍ଦାନ୍ତ ପ୍ରସାଦ ନେତୃତ୍ବରେ ୫୦ ନକ୍ସଲ, କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସର ପ୍ରସ୍ତୁତି

ଭୁବନେଶ୍ବର : ମାଓ ଅଧ୍ୟୁଷିତ ଜିଲ୍ଲା ତାଲିକାରୁ ଗତବର୍ଷ ବାଦ୍ ପଡ଼ିଥିଲା ବୌଦ୍ଧ। କିନ୍ତୁ ଗତ ୧୦ ତାରିଖରେ କନ୍ଧମାଳ ଓ ବୌଦ୍ଧ ସୀମା ଗୋଚ୍ଛାପଡ଼ା ଜଙ୍ଗଲରେ ନକ୍ସଲ-ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର୍‌ ପରେ ପୁଣି କେକେବିଏନ୍(କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନ୍ ସକ୍ରିୟ ହେଉଥିବା କୁହାଯାଉଛି। ଏନ୍‌କାଉଣ୍ଟର୍‌ରେ ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ଯବାନ ଗୁରୁତର ହେବା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। କିନ୍ତୁ ଆକ୍ରମଣ କରିଥିବା ମାଓବାଦୀ ଖସି ଯିବାରେ ସମର୍ଥ ହୋଇଛନ୍ତି। ଗତ ଦୁଇ ବର୍ଷ ଭିତରେ ଏନକାଉଣ୍ଟରରେ ମାଓବାଦୀମାନେ ଏଭଳି ଖସି ପଳାଇଯିବାରେ ଏ ହେଉଛି ତୃତୀୟ ଘଟଣା। ଏବେ ନକ୍ସଲଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ କେକେବିଏନ୍ ସମେତ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁରରେ ମଧ୍ୟ ଚାଲିଛି ମାଓବାଦୀଙ୍କ ମେଳି। ବିଗତ ବର୍ଷମାନଙ୍କ ତୁଳନାରେ ମାଓ ସଂଗଠନଗୁଡ଼ିକ ଏବର୍ଷ ଅଧିକ ସକ୍ରିୟ ଥିବାରୁ ବଡ଼ଧରଣର ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଆଶଙ୍କା କରାଯାଉଛି।

ପୂର୍ବରୁ କେକେବିଏନ୍ ଡିଭିଜନକୁ ସମ୍ଭାଳିଥିବା ପୂର୍ବତନ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଜମ୍ପାନା ଓରଫ୍ ନରସିଂହା ରେଡ୍ଡି ୨୦୧୭ରେ ହାଇଦ୍ରବାଦରେ ଆତ୍ମସମର୍ପଣ କରିଥିଲା। ୨୦୧୮ରେ ଅନ୍ୟତମ ପ୍ରମୁଖ ଦୁର୍ଦ୍ଦାନ୍ତ ନକ୍ସଲ ବାଦଲର ଏନ୍‌କାଉଣ୍ଟର୍‌ରେ ମୃତ୍ୟୁ ହୋଇଥିଲା। ଗତ ଦୁଇ ବର୍ଷ ଭିତରେ କେକେବିଏନ୍ ଡିଭିଜନର ୧୬ରୁ ଅଧିକ ନକ୍ସଲ ନିହତ ହୋଇଥିଲେ। ଏହା ପରେ ସଂଗଠନ ଦୁର୍ବଳ ହେବାରେ ଲାଗିଥିଲା। କିନ୍ତୁ ଏହି ସମୟରେ ଡିଭିଜନର ନେତୃତ୍ବ କାନ୍ଧକୁ ନେଇଥିଲା ଓଡ଼ିଶା ଷ୍ଟେଟ୍ କମିଟି କେକେବିଏନ୍ ଡିଭିଜନର ସମ୍ପାଦକ ପ୍ରସାଦ। ଆନ୍ଧ୍ରର ଏହି ଦୁର୍ଦ୍ଦାନ୍ତ ମାଓବାଦୀ ପ୍ରସାଦ ୨୦ରୁ ୨୨ ଜଣ ନକ୍ସଲଙ୍କୁ ସାଂଗରେ ଧରି ନିଜେ କେକେବିଏନ୍ ଡିଭିଜନରେ ଘୂରି ବୁଲୁଛି। ବୌଦ୍ଧ, କନ୍ଧମାଳ, କଳାହାଣ୍ଡିର ବିଭନ୍ନ ଅଞ୍ଚଳ ବୁଲି ସଂଗଠନକୁ ମଜଭୁତ୍ କରିବାରେ ଲାଗିଛି। ସମୟ ସମୟରେ ରାୟଗଡ଼ା ଓ ନୟାଗଡ଼ ସୀମା ପର୍ଯ୍ୟନ୍ତ ଯାଉଛି। ଏହି ଡିଭିଜନରେ ଏବେ ୫୦ରୁ ଅଧିକ ନକ୍ସଲ ସକ୍ରିୟ ରହିଛନ୍ତି। ସେମାନଙ୍କ ହାତରେ ଏକ-୪୭, ଇନସାସ୍ ରାଇଫଲ୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ରାଜ୍ୟରେ ଏବେ ବି ୧୫ରୁ ଅଧିକ ମାଓ ନେତା ସକ୍ରିୟ ରହିଛନ୍ତି। ସେମାନଙ୍କ ଭିତରେ ୩ ଜଣ ସେଣ୍ଟ୍ରାଲ କମିଟି ସଦସ୍ୟ ରହିଥିବା ବେଳେ ଅନ୍ୟମାନେ ରାଜ୍ୟ କମିଟିର ସଦସ୍ୟ ବୋଲି ଜଣାପଡ଼ିଛି। ପ୍ରସାଦ ଏବେ ପୁଲିସର ଟାର୍ଗେଟରେ ରହିଛି। ପ୍ରସାଦ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି।

ଆଇଜି (ଅପରେସନ୍) ଅମିତାଭ ଠାକୁର ତିନି ଦିନ ଧରି କନ୍ଧମାଳ, କଳାହାଣ୍ଡି, ବୌଦ୍ଧର ବିଭିନ୍ନ କ୍ୟାମ୍ପ ବୁଲିବା ସହ ଘନଘନ ବୈଠକ କରିଛନ୍ତି। କେକେବିଏନ୍ ଡିଭିଜନ୍ ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଅଞ୍ଚଳରେ ହାଇ ଆଲର୍ଟ କରାଯାଇଛି। ସୁରକ୍ଷାକର୍ମୀଙ୍କ କ୍ୟାମ୍ପକୁ ୨୪ ଘଣ୍ଟିଆ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଯେ କୌଣସି ମୁହୂର୍ତ୍ତରେ ବଡ଼ଧରଣର ଅପରେସନ୍ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ ରାଜ୍ୟର ଯେଉଁ ୧୦ଟି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି; ସେଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ବରଗଡ଼, ରାୟଗଡ଼ା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼। ମାଲକାନଗିରିରେ ଗୁରୁପ୍ରିୟା ସେତୁ ଓ ବିଏସଏଫ୍ କ୍ୟାମ୍ପ ତିଆରି ହେବା ପରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି। ୨୦୧୯ରେ ଏନକାଉଣ୍ଟରରେ ୧୯ ମାଓବାଦୀ ନିହତ ହୋଇଥିଲେ। ସେହିପରି ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଏନକାଉଣ୍ଟରରେ ୪୦ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର