ଭବାନୀପାଟଣାରେ ମିଲିସିଆ ଗିରଫ, ବିସ୍ଫୋରକ ସମେତ ବହୁ ସାମଗ୍ରୀ ଜବତ

ଭବାନୀପାଟଣା : ମାଓ ସମ୍ପର୍କ ଅଭିଯୋଗରେ ଭବାନୀପାଟଣା ସଦର ଥାନା ଅର୍ନ୍ତଗତ ବରାଖୋଜ ଗ୍ରାମର ମଙ୍ଗା ମାଝୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏହାଛଡ଼ା ତା’ଠାରୁ ବହୁ ବିସ୍ଫୋରକ ତଥା ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିବା ନେଇ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ବୁଧବାର ଦିନ ଭବାନୀପାଟଣା ସଦରଥାନା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଏ ସମ୍ପର୍କରେ ଖବର ମିଳିବା ପରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନେହେଲା ସଂରକ୍ଷିତ ଜଙ୍ଗଲର ମକାଗୁଡ଼ା ଯିବା ରାସ୍ତାରେ ପୁଲିସ ପୂର୍ବରୁ ଛକି ରହି ତନଖି କରିଥିଲା। ତନଖି ସମୟରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବରାଖୋଜ ଗ୍ରାମର ମଙ୍ଗା ମାଝୀ(୨୮)ଙ୍କ ଠାରୁ ବିଭିନ୍ନ ବିସ୍ଫୋରକ ସମେତ ବହୁ ସାମଗ୍ରୀ ଜବତ ହୋଇଥିଲା। ମଙ୍ଗା ଠାରୁ ଗୋଟିଏ ଦେଶୀ ଏସବିଏମଏଲ ବନ୍ଧୁକ, ୨୦ ଜିଲାଟିନ, ୫ଟି ଇଲେକ୍ଟ୍ରି ଡିଟୋନେଟର, ୯୫ ମିଟର ବିଦ୍ୟୁତ ତାର ଓ ୪୫ଟି ମାଓ ପ୍ରଚାର ଲିଫଲେଟ ଜବତ କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ପୁଲିସ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ସଦର ଥାନା ଆଇଆଇସି ପ୍ରଦୀପ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର