ମଜୁରଡିମାରେ ମାଓ ପୋଷ୍ଟର, ବନବିଭାଗକୁ ଦେଲେ ଚେତାବନୀ

ବଣାଇଗଡ଼ : ବଣାଇ ଉପଖଣ୍ତ ଗୁରୁଣ୍ତିଆ ଥାନା ଅନ୍ତର୍ଗତ ଜର୍ଡା ପଞ୍ଚାୟତର ମଜୁରଡିମା ଗ୍ରାମରେ ଆଜି ମାଓ ପୋଷ୍ଟର ଲଗାଯାଇଥିବା ଜଣାପଡିଛି। ଏଥିରେ ସ୍ଥାନୀୟ ବନବିଭାଗକୁ ହିନ୍ଦୀରେ ଲେଖାଥିବା ‘ବନ ବିଭାଗ ମେଁ କାମ କରନେ ବାଲେ(ଓ୍ୟାଚର) ସାବଧାନ ଚାର ଗାଅଁ କେ ଓ୍ୟାଚରୋ କେ ଲିଏ ତାଜା ଖବର’ ମୌତ କୀ ସଜା ହାଥ କୀ ସଜା ହାଥ ପୈର କାଟନା ବିସ ସଲ କୀ ବେଘର ସଜା, ମା.କ.ପା(ମାଓବାଦୀ)”ଏହା ସହିତ ସେଠାରେ ଏକ ମାଓବାଦୀଙ୍କ ଦ୍ୱାରା ଲିଖିତ ହିନ୍ଦୀ ପୁସ୍ତକ ଛାଡ଼ିଥିବା ଦେଖବାକୁ ମିଳିଛି। ଆଜି ଏହା ସକାଳୁ ଗ୍ରାମବାସୀ ଦେଖିବା ପରେ ସେମାନଙ୍କ ମନରେ କୋକୁଆ ଭୟ ଖେଳିଯାଇଥିଲା। ପରେ ପୁଲିସକୁ ଗ୍ରାମବାସୀ ଏହି ଖବର ଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବଣାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପିପିଲିକାନୀ-କଂଟାମୁଣ୍ତା ନୂତନ ରାସ୍ତା ନିର୍ମାଣ ହୋଇଛି। ମାତ୍ର କାର୍ଯ୍ୟ ଆରମ୍ଭର କିଛି ଦିନ ପରେ ସୋଲ ବନ ବିଭାଗ ପକ୍ଷରୁ ବନାଂଚଳ ଅଧିକାରୀ ଏହି ରାସ୍ତାର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ। ଏଥିନେଇ କଣ୍ଟାମୁଣ୍ତାଠାରେ ସ୍ଥାନୀୟ ଜନସାଧାରଣ ଓ ଲୋକପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇ ତୁରନ୍ତ ବନ ବିଭାଗ ବନ୍ଦ କରିଥିବା ରାସ୍ତାକୁ ଚାଲୁ ରଖିବା ପାଇଁ କହିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ବନାଂଚଳ ଅଧିକାରୀ ୭ ଦିନ ମଧ୍ୟରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହି ରାସ୍ତାକୁ ବନ ବିଭାଗ ବନ୍ଦ ରଖିବା ଯୋଗୁଁ ସ୍ଥାନୀୟ ୪ଟି ଗ୍ରାମର ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇବା ସହ ଉତ୍ତେଜନ ପ୍ରକାଶ ପାଇଥିଲା। ଏହି ଘଟଣା ପରେ ପରେ ଆଜି ସେ ଅଂଚଳରେ ମାଓ ପୋଷ୍ଟର ଲଗାଯାଇ ବନ କର୍ମଚାରୀଙ୍କୁ ତାଗିଦ କରିବା ଘଟଣାର ସେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର