ବାଲିଗୁଡ଼ା ପୂର୍ତ୍ତବିଭାଗ ଡାକବଙ୍ଗଳାରେ ମାଓ ପୋଷ୍ଟର, ଏସ୍‌ଡିଓଙ୍କୁ ପ୍ରଜାକୋର୍ଟରେ ହତ୍ୟା ଧମକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳା କାନ୍ଥରେ ଆଜି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ବିଭାଗୀୟ ଏସ୍‌ଡିଓଙ୍କୁ ଏଠାରୁ ତୁରନ୍ତ ବଦଳି ନହେଲେ ପ୍ରଜାକୋର୍ଟରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଏଥିରେ ଧମକ ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖା ଦେଇଥିବା ବେଳେ ଏଭଳି ଧମକପୂର୍ଣ୍ଣ ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ପୁଣି କନ୍ଧମାଳ ଜିଲ୍ଲାରେ ସେମାନଙ୍କ ସ୍ଥିତି ଫେରାଇ ଆଣୁଥିବା ଆଶଙ୍କା କରାଯାଇଛି। ବାଲିଗୁଡ଼ା ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା କାନ୍ଥରେ ଆଜି ସକାଳୁ ଏହି ପୋଷ୍ଟର ଦେଖିବାକୁ ମିଳିଥିଲା। ନାଲି କାଳିରେ ଏହା ଲେଖାଯାଇଥିବା ସହ ବଂଶଧାରା ଡିଭିଜନ, ଖମନଖୋଲର ସଂପାଦକ କୁଟ୍ର‌ା ମାଝିଙ୍କ ଦସ୍ତଖତ ରହିଛି।

ପୋଷ୍ଟରରେ ଉଲ୍ଲେଖ ରହିଛି, ବାଲିଗୁଡ଼ା ପୂର୍ତ୍ତ ବିଭାଗରେ ଭାସ୍କର ଚନ୍ଦ୍ର ସାମନ୍ତରାୟ ୧୪ ବର୍ଷ ହେଲା ଏଠାରେ ଏସଡିଓ ଭାବେ କାର୍ଯ୍ୟ କରୁଛନ୍ତି। ବଦଳି ପାଇଁ ୪ମାସ ହେଲ‌ା ଅର୍ଡର ମିଳିଥିଲେ ମଧ୍ୟ ସେ ବାଲିଗୁଡା ଛାଡୁନାହାନ୍ତି। ଏପରିକି ସେ ୧୦ କୋଟିରୁ ଅଧିକ ଟଙ୍କା ସରକାରୀ ଅର୍ଥ ହଡ଼ପ କରିଛନ୍ତି। ତୁରନ୍ତ ଏହାର ତଦନ୍ତ ସହ ଭାସ୍କରଙ୍କୁ ବଦଳି କରା ନଗଲେ ତାଙ୍କୁ ପ୍ର‌ଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଏଥିରେ ଧମକ ଦିଆଯାଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି।

ସୂଚନା ଥାଉକି, ଗଲା କିଛି ମାସ ଧରି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସମୟରେ ଲାଲବାହିନୀ ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବା ସହ ହିଂସାକାଣ୍ଡ ଘଟାଇଛନ୍ତି। ନିର୍ବାଚନ ବେଳେ ବାଲିଗୁଡା, ପରମପାଙ୍ଗୀ ଓ ସୁକିଙ୍ଗିଆ ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିବା ବେଳେ କେତେକ ସ୍ଥାନରେ ବ୍ୟାନର ମଧ୍ୟ ଲଗାଯାଇଥିଲା। ଏପରିକି ଗୋଚ୍ଛାପଡା ଅଞ୍ଚଳରେ ପୁଲିଂ କର୍ମଚାରୀଙ୍କ ଗାଡ଼ି ଉପରକୁ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସହ ଗୁଳି ଚଳାଇବା ଫଳରେ ଜଣେ ମହିଳା ଜିଆରଏସଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଜିଲ୍ଲାରେ ଏବେ ମାଓ ସଂଗଠନ ଏକ ପ୍ରକାର ସକ୍ରିୟ ରହିବା ସହ ଅବାଧରେ ଚଳପ୍ରଚଳ କରୁଥିବା ସ୍ପଷ୍ଟ ହୋଇଯାଇଛି। ମାଓବାଦୀଙ୍କ ନାଁ ରେ କିଛି ମାଫିଆ ଏଭଳି କାର୍ଯ୍ୟ କରୁଥିବା ପୁଲିସ ଯେତେ ସଫେଇ ଦେଲେ ବି ବିଭିନ୍ନ ସମୟରେ ସେମାନେ ପୋଷ୍ଟର ଲଗାଇ ନିଜ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର