ବାଲିଗୁଡ଼ା-ଖୋମନଖୋଲ ରାସ୍ତାରେ ମାଓ ପୋଷ୍ଟର : ୨୪ରେ ମାଓବାଦୀଙ୍କ ୪ ଜିଲ୍ଲା ବନ୍ଦ ଡାକରା

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପା ଏନ୍‌କାଉଣ୍ଟର୍‌ରେ ୫ ସାଥୀଙ୍କୁ ହରାଇ ଏବେ ପ୍ରତିହିଂସା ପରାୟଣ ହୋଇପଡ଼ିଛନ୍ତି ଲାଲ୍‌ ବାହିନୀ । ପ୍ରତିବାଦ ସ୍ୱରୂପ ବିଭିନ୍ନ ସ୍ଥାନରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ଲଗାଇ ସେମାନଙ୍କ ସ୍ଥିତି ଜାହିର କରିଛନ୍ତି। ଆଜି ବାଲିଗୁଡ଼ା – ଖୋମନଖୋଲ ମୁଖ୍ୟ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରଛନ୍ତି । ଏହାସହ ଏକ ହାତ ଲେଖା ପୋଷ୍ଟର ମାରିଥିବା ଦେଖିବାକୁ ମିଳଛି । ଏଥିରେ ସୁଡ୍ରୁକୁମ୍ପା ଜଙ୍ଗଲରେ କେକେବିନ ମାଓ ସଙ୍ଗଠନର ୫ ମାଓବାଦୀଙ୍କ ମୃତ୍ୟୁ ପ୍ରତିବାଦରେ ଆସନ୍ତା ୨୪ ତାରିଖ ଦିନ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ବନ୍ଦ ପାଇଁ ଡାକରା ଦେଇଛନ୍ତି । ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ଵାନ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସେଠାରେ ପୁଲିସ ପହଞ୍ଚି ନଥିବାରୁ ସାଧାରଣ ଲୋକଙ୍କ ମନରେ ଭୟ କୋକୁଆ ଭୟ ଉପୁଜିଛି।

ଗତ ୧୫ ତାରିଖରେ କୋଟଗଡ ଠାରୁ ୮ କିଲୋମିଟର ଦୂର ରଡ଼ିଗୁମା ଠାରେ ପୋଷ୍ଟର ଲଗାଇବା ସହ ଗଛପକାଇ ରାସ୍ତା ଅବରୋଧ କରିଥିବା ବେଳେ ଗତ ୧୨ ଓ ୧୩ ତାରିଖରେ କନ୍ଧମାଳ ପୁଲିସ ପକ୍ଷରୁ ସୁଡ୍ରୁକୁମ୍ପା ଜଙ୍ଗଲରେ ପୁଲିସ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ କରିଥିଲା। ଏଥିରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଛତ୍ରଭଙ୍ଗ ଦେଇ ସ୍ଥାନ ଛାଡ଼ି ପଳାଇଥିଲେ । ପୁଲିସ ସେଠାରୁ ବହୁ ମାଓ ସାମଗ୍ରୀ ଓ ବନ୍ଧୁକ ଜବତ କରିଥିଲା । ଏହି କମ୍ବିଂ ଅପରେସନ୍‌ରେ ପୁଲିସକୁ ସଫଳତା ମିଳିଥିଲା ପରେ ପୁଲିସ ଡିଜି ଫୁଲବାଣୀ ଆସି ମାଓ ଦମନ ନେଇ ସମୀକ୍ଷା କରିବା ପରେ ପୁଲିସର ମନୋବଳ ବୃଦ୍ଧି ପାଇଥିଲା । ହେଲେ, ଏସବୁ ପରେ ବି କନ୍ଧମାଳରେ ଏବେ ମାଓବାଦୀ ସେମାନଙ୍କ ସ୍ଥିତି ଜାହିର କରିବା ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

ସମ୍ବନ୍ଧିତ ଖବର