ପୁଲିସ କମିସନର କହିଲେ ନକଲି ପୋଷ୍ଟର୍‌

Advertisment

ଖଣ୍ଡଗିରି : ଭୁବନେଶ୍ୱର ଏମ୍‌ସର କଶ୍ମୀର ଛାତ୍ର ସୋହେଲ୍‌ ଆଇଜାଦ୍‌ଙ୍କ ରହସ୍ୟମୟ ନିଖୋଜ ମାମଲା ଏବେ ଏକ ଭୟଙ୍କର ଭିନ୍ନ ମୋଡ଼ ନେଇଛି। ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌କୁ ନେଇ ସନ୍ଦେହ ଦୂର ହୋଇ ନଥିବାବେଳେ ତାଙ୍କୁ ଓଡ଼ିଶା ମାଓବାଦୀମାନେ ଅପହରଣ କରି ନେଇଥିବା କଥା ଉଠିଛି। ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ମୁକ୍ତି ବଦଳରେ ସୋହେଲଙ୍କୁ ମୁଣ୍ଡ ଜାମିନ୍‌ ରଖାଯାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସୋମବାର ସକାଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଲଗା ଯାଇଥିବା ମାଓ ପୋଷ୍ଟର୍‌କୁ ନେଇ ଏଭଳି ଆଶଙ୍କା କରାଯାଇଛି। ପୁଲିସ ପାଇଁ ରାଜଧାନୀରେ ମାଓ ପୋଷ୍ଟର ମିଳିବା ଯେତିକି ଆତଙ୍କର କାରଣ ନୁହେଁ, ଏମ୍‌ସ ଛାତ୍ରଙ୍କ ଅପହରଣ ଓ ମୁଣ୍ଡ ଜାମିନ୍‌ ପ୍ରସଙ୍ଗ ତା’ଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି। କିନ୍ତୁ କମିସନରେଟ୍‌ ପୁଲିସ ଏହି ପୋଷ୍ଟର୍‌କୁ ଏତେଟା ଗୁରୁତ୍ୱ ଦେଇନାହିଁ। ଏହା ଏକ ନକଲି ପୋଷ୍ଟର ବୋଲି କମିସନରେଟ୍‌ ପୁଲିସ ସୂଚନା ଦେଇଥିଲେ ବି ଭିତରେ ଭିତରେ ମାମଲାକୁ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଥିବା ସୂଚନା ମିଳିଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଦୁଇଟି ସ୍ଥାନରେ ଦୁଇଟି ପୋଷ୍ଟର ଦେଖିବାକୁ ମିଳିଥିଲା। ଗତ ରାତିରୁ ହିଁ ପୋଷ୍ଟର ଦୁଇଟି ଲଗାଯାଇଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ନାଁରେ ଲଗାଯାଇଥିବା ଏହି ପୋଷ୍ଟରରେ ଏମ୍‌ସ ଛାତ୍ର ସୋହେଲ୍‌ ସେମାନଙ୍କ ପାଖରେ ବନ୍ଦୀ ଥିବା ଉଲ୍ଲେଖ ରହିଛି। ସାତ ଦିନ ଭିତରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଜେଲ୍‌ରୁ ମୁକ୍ତି ନ ଦେଲେ, ସୋହେଲଙ୍କୁ ହତ୍ୟା କରାଯିବ ବୋଲି ଲେଖାଯାଇଛି। ସେହିଭଳି ଆସନ୍ତା ୧୧ ତାରିଖରେ କିଛି ପୁଲିସ ଷ୍ଟେସନ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ବି ଭୟଙ୍କର ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଛି।

ଆଜି ସକଳେ ପୋଷ୍ଟର ଦୁଇଟି ମିଳିବା ପରେ ଖଣ୍ଡଗିରି ଥାନା ପୁଲିସ ତତ୍ପର ହୋଇଉଠିଥିଲା। ପୁଲିସ ପୋଷ୍ଟର ଦୁଇଟିକୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକ ନକଲି ପୋଷ୍ଟର୍‌। ଏମ୍‌ସ ଛାତ୍ର ନିଖୋଜ ସାଙ୍ଗକୁ ସବ୍ୟସାଚୀ ପଣ୍ଡାଙ୍କୁ ଯୋଡ଼ି ଏକ କାହାଣୀ କରାଯାଇଛି। ସେହିଭଳି ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ମିଲି ପଣ୍ଡା ମଧ୍ୟ ଗଣମାଧ୍ୟମ ଜରିଆରେ ଏଭଳି କଥାକୁ ଖଣ୍ଡନ କରିଛନ୍ତି। ମାଓ ଅଧ୍ୟୁଷିତ ଅଞ୍ଚଳରେ କାମ କରିଥିବା ଜଣେ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ ମାଓବାଦୀମାନଙ୍କ ଧମକ ବା ଚେତାବନୀର ତରିକା ଭିନ୍ନ। ସାଧାରଣତଃ ମାଓବାଦୀମାନଙ୍କ ପୋଷ୍ଟର ଚିଠି ଲାଲ୍‌ କାଳିରେ ବିସ୍ତୃତ ଭାବେ ଲେଖାଯାଇଥାଏ। ମାତ୍ର ଏହି ଚିଠିଟି କଳା କାଳିରେ ଓ ସଂକ୍ଷିପ୍ତଭାବେ ଲେଖାଯାଇଛି। ଅବଶ୍ୟ ତଳେ ଲାଲ୍‌ କାଳିରେ ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ବୋଲି ଲେଖାଯାଇଛି।

ମାଓବାଦୀଙ୍କ ପକ୍ଷରୁ ଯଦି ଏଭଳି ଚିଠି କରାଯାଇଥାଆନ୍ତା ତେବେ ସେମାନେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ପୋଷ୍ଟର୍‌ ଲଗାଇ ପାରିଥାନ୍ତେ। ତେଣୁ ଏହା ଏକ ନକଲି ପୋଷ୍ଟର। ଏହା ବାଦ୍‌ ଗତ ମାସ ୧୦ ତାରିଖ ସକାଳ ସୁଦ୍ଧା ସୋହେଲ୍‌ ହାଓ୍ଵଡ଼ା ଷ୍ଟେସନ୍‌ରେ ଥିବା ସ୍ପଷ୍ଟ ହୋଇଛି। ତାଙ୍କ ମୋବାଇଲ୍‌ ଫୋନ୍‌ ହାଓ୍ଵଡ଼ା ଷ୍ଟେସନ୍‌ରେ ବନ୍ଦ ହୋଇଥିବା ଟ୍ରାକିଂରୁ ଜଣାପଡ଼ିଛି। ତେଣୁ ସବ୍ୟସାଚୀଙ୍କ ମୁକ୍ତି ପାଇଁ ତାଙ୍କୁ ମାଓବାଦୀମାନେ ଅପହରଣ କରିନେବା କଥା ବିଶ୍ୱସଯୋଗ୍ୟ ହେଉନାହିଁ। ରାଜଧାନୀବାସୀଙ୍କ ଭିତରେ ଆତଙ୍କ ଖେଳାଇବା ପାଇଁ କିମ୍ବା ପୁଲିସକୁ ହରକତ କରିବା ପାଇଁ ବା ପୁଲିସ ନଜରକୁ ଦିଗହରା କରିବା ପାଇଁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ କରିଛି। ଏହି ନକଲି ମାଓବାଦୀ ତଥା ଦୁର୍ବୃତ୍ତକୁ ଠାବ କରିବା ପାଇଁ ପୁଲିସ ଉଦ୍ୟମ କରୁଥିବା ସୂଚନା ମିଳିଛି।

ମାଓ ପୋଷ୍ଟର ରାଜଧାନୀରେ ନୂଆ ନୁହେଁ:

ଏହି ମାଓ ପୋଷ୍ଟର୍‌କୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲେ ବି ଏହାକୁ ନକଲି ବୋଲି ଏତେ ଜଲ୍‌ଦି କୁହାଯାଇ ନପାରେ। କାରଣ ରାଜଧାନୀରେ ମାଓ ପୋଷ୍ଟର କିଛି ନୂଆ କଥା ନୁହେଁ। କିଛି ବର୍ଷ ପୂର୍ବେ ରାଜଧାନୀରେ ମାଓ ପୁସ୍ତକ ଓ ପୋଷ୍ଟର ଛପା ହେବା ଭଳି ଘଟଣା ମଧ୍ୟ ଘଟିଥିଲା। ଏହି ପୋଷ୍ଟର ହାତ ଲେଖା ଚିଠି ହୋଇଥିଲେ ବି ପୁଲିସ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି।

ସୋହେଲଙ୍କ ପାଇଁ ମେହବୁବାଙ୍କ ଟୁଇଟ୍‌

publive-imageକଶ୍ମୀର ଛାତ୍ର ସୋହେଲ୍‌ ଆଇଜାଦ୍‌ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ଖବର ପ୍ରଚାରିତ ହୋଇଯିବା ପରେ ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଚିନ୍ତା ପ୍ରକଟ କରିଛନ୍ତି। ସୋହେଲଙ୍କ ମୁକ୍ତି ନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଦ୍ଦେଶ୍ୟରେ ଟୁଇଟ୍‌ କରିଛନ୍ତି। ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ, ସୋହେଲ୍‌ଙ୍କ ସୁରକ୍ଷିତ ମୁକ୍ତି ପାଇଁ ବିଭାଗୀୟ କର୍ତୃପକ୍ଷ ତଦନ୍ତ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ମୁଁ ଅନୁରୋଧ କରୁଛି।