ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ସାଧାରଣ ନିର୍ବାଚନକୁ ବିରୋଧ କରି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ପୋଖରୀବନ୍ଧ ଓ ଥୁଆମୂଳ ରାମପୁର ବ୍ଲକର ସାଇସୁରନି ଠାରେ ମାଓ ପୋଷ୍ଟର ଲାଗିଥିବା ଜଣାଯାଇଛି। ଥୁଆମୂଳ ରାମପୁର ବ୍ଲକର ସାଇସୁରନି ଗୁଣପୁର ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରବିବାର ଦିନ ସାଇସୁରନି ଗ୍ରାମର ବଜାର ଛକ, ପଞ୍ଚାୟତ ସମ୍ମୁଖ ଓ ଏକ ପାନ ଦୋକାନରେ ମାଓ ପୋଷ୍ଟର ଲାଗିବାକୁ ଦେଖିବାକୁ ମିଳିଥିଲା। ସେହିଭଳି ଲାଞ୍ଜିଗଡ ବ୍ଲକର ପୋଖରୀବନ୍ଧ ଠାରେ ରାସ୍ତା କଡ଼ରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା। ବଂଶଧାରା ଘୁମସର ନାଗାବଳି ଡିଭିଜନର ସିପିଆଇ ମାଓବାଦୀ ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ବର୍ଜନ କରିବା, ବିଜେଡି ଓ ବିଜେପି ଦଳକୁ ଭୋଟ ନଦେବା ଓ ଭୋଟ ମାଗିବାକୁ ଆସୁଥିବା ଦଳ ମାନଙ୍କୁ ଜନ ଅଦାଲତର କାଠଗଡାରେ ଛିଡା କରିବା ଓ ବିକାଶ ପାଇଁ ବିପ୍ଳବୀ ଲୋକ ସରକାର ପ୍ରତିଷ୍ଠା କରିବାକୁ ଉଲ୍ଲେଖ ରହିଛି। ସେହିଭଳି ଆସନ୍ତା ଏପ୍ରିଲ ୧୧ରେ ରାୟଗଡା ଏରିଆ କମିଟି ମଧ୍ୟରେ ଥିବା ତ୍ରିଲୋଚନପୁର, ପାର୍ସାଲି, ମୁନିଖାଲ, ଶିବପଦର, ସୁନାଖଣ୍ଡି, କୁର୍ଲି, ନାକରୁଣ୍ଡି, ଗୁଣପୁର, ଯୁଗସାଇ ପାଟଣା, ପାହାଡପଦର ପ୍ରଭୃତି ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି।
ନିର୍ବାଚନକୁ ବିରୋଧ କରି ମାଓ ପୋଷ୍ଟର
/sambad/media/post_attachments/wp-content/uploads/2019/03/naxa-1.jpg)