କନ୍ଧମାଳରେ ମାଓବାଦୀଙ୍କ ‘ବିପ୍ଳବୀ ଡେଙ୍ଗୁରା’ ପୋଷ୍ଟର : ଦୁଇ ଥାନା ଅଧିକାରୀଙ୍କୁ ହତ୍ୟା ଧମକ

ବାଲିଗୁଡ଼ା : କନ୍ଧମାଳରେ ମାଓବାଦୀ ସେମାନଙ୍କ ଦବ୍‌ଦବା ଜାରି ରଖିବାକୁ ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଆଜି ସିପିଆଇ(ମାଓବାଦୀ) ସଂଗଠନ ପକ୍ଷରୁ ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତରେ ପୋଷ୍ଟର ଲଗାଯାଇ ଫେବ୍ରୁଆରି ୧୨ରୁ ମାର୍ଚ ୧୨ ପର୍ଯ୍ୟନ୍ତ ‘ବିପ୍ଳବୀ ଡେଙ୍ଗୁରା’ ସୂଚନା ଦିଆଯାଇଛି। ଶନିବାର ସକାଳୁ ଗ୍ରାମର ହାଇସ୍କୁଲ ମୁଖ୍ୟ ଫାଟକ ସମେତ ଅନେକ ସ୍ଥାନରେ ଏଭଳି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସିପିଆଇ(ମାଓବାଦୀ) କେକେବିଏନ ଡିଭିଜନ ପକ୍ଷରୁ ମରା ଯାଇଥିବା ଏହି ପୋଷ୍ଟରରେ ଏକ ମାସ ବିପ୍ଳବୀ ଡେଙ୍ଗୁରା ବିଷୟ ଉଲ୍ଲେଖ ରହିଛି। ଏଥିରେ ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅଧିକାରୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହା ସହ ପୁଲିସ ଅଧିକାରୀଙ୍କ ଫଟୋ ପୋଷ୍ଟରରେ ରହିଛି। ଫିରିଙ୍ଗିଆ ଓ ଗୋଚ୍ଛାପଡା ଥାନା ପୁଲିସକୁ ଧମକ ଦିଆଯିବା ସହ ପକାରୀ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ମଧ୍ୟ ପୋଷ୍ଟର ଜରିଆରେ ତାଗିଦ କରାଯାଇଛି। ଦୁଇ ପୃଷ୍ଠା ସମ୍ବଳିତ ଏହି ପୋଷ୍ଟରରେ ପୁଲିସ ପ୍ରରୋଚନାରେ ପଡ଼ି ମାଓ ସଂଗଠନ ଛାଡ଼ି ଆତ୍ମସମର୍ପଣ କରୁଥିବା ମାଓ ନେତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଧମକ ସନ୍ଦେଶ ଦିଆଯାଇଛି। ଫେବ୍ରୁଆରି ୨୧କୁ ଭାଷା ଦିବସ ଏବଂ ମାର୍ଚ୍ଚ ୮ ମହିଳା ଦିବସ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। ଶେଷରେ କାଳିଆ ଯୋଜନାକୁ ବିରୋଧ କରି ନିଖୋଜ ଚାଷୀ ଲିଙ୍ଗରାଜକୁ ଫେରାଇ ଆଣିବାକୁ ‌ପୋଷ୍ଟରରେ ଉଲ୍ଲେଖ ରହିଛି। ଏଭଳି ପୋଷ୍ଟରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏହା ମାଓବାଦୀ ମାରିଛନ୍ତି ନା କେହି ଦୁର୍ବୃତ୍ତ ଏଭଳି କାଣ୍ଡ କରିଛନ୍ତି, ତାହା ବର୍ତମାନ ସ୍ପଷ୍ଟ ହୋଇ ନାହିଁ।

ସମ୍ବନ୍ଧିତ ଖବର