ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ବହୁବର୍ଷ ଧରି ଲାଲବାହିନୀ ଆତଙ୍କ ଖେଳାଇ ଆସୁଛନ୍ତି। ଚଳିତ ମାସ ୫ ତାରିଖ ଦିନ ମଦନପୁର ରାମପୁର ଥାନା ଅର୍ନ୍ତଗତ ଡମ୍ବକର୍ଲାଖୁଣ୍ଟା ନିକଟରେ ଗଛରେ ମାଓ ପୋଷ୍ଟର ଲଗାଇଥିଲେ। ଖବର ସଂଗ୍ରହ କରିବାକୁ ଯାଇ ସାମ୍ବାଦିକ ରୋହିତ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ଏହି ଘଟଣାର ସପ୍ତାହେ ନ ପୁରୁଣୁ ଶନିବାର ଦିନ  ଭବାନୀପାଟଣା ସହରଠାରୁ ୨ କିଲୋମିଟର ଦୂର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭବାନୀପୁର ଓ ଲକ୍ଷ୍ମୀପୁର ମୁଖ୍ୟରାସ୍ତା କଡ଼ରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।

Advertisment

ଏହି ପୋଷ୍ଟରଟି ଓଡ଼ିଶା ସିପିଆଇଏମ୍‌ ମାଓବାଦୀ ସଂଗଠନ ପକ୍ଷରୁ ଲଗାଯାଇଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ପଞ୍ଚାୟତ ନିର୍ବାଚନରେ ଜନସାଧାରଣ ଭୋଟ ବର୍ଜନ କରିବାକୁ ମାଓ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି। ସହରଠାରୁ ୨ କି.ମି. ଦୂରରେ ଏହି ପୋଷ୍ଟରଗୁଡ଼ିକୁ ଲଗା ଯାଇଥିବାରୁ ସାଧାରଣରେ ଆତଙ୍କ ଖେଳି ଯାଇଛି। ସ୍ଥାନୀୟ ପୁଲିସ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ଜନସାଧାରଣ ଓ ସାମ୍ବାଦିକମାନଙ୍କୁ ସେ ସ୍ଥାନକୁ ନଯିବା ପାଇଁ ବାରଣ କରାଯାଇଛି।