ଝିରିପାଣିରେ ମାଓ ପୋଷ୍ଟର: ପୁଲିସ ଇନଫର୍ମରମାନଙ୍କୁ ଖୁବ୍ ଶୀଘ୍ର ଆତ୍ମସମର୍ପଣ କରିବାକୁ କହିଲେ ମାଓବାଦୀ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାର ପୁଣି ଲାଗିଲା ମାଓ ପୋଷ୍ଟର। ବେଲଘର ଥାନା ଝିରିପାଣି ଗ୍ରାମର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇ ପୁଲିସ ଇନଫର୍ମରମାନଙ୍କୁ ଖୁବ୍ ଶୀଘ୍ର ଆତ୍ମସମର୍ପଣ କରିବାକୁ କହିଛନ୍ତି। ଝିରିପାଣି ଗ୍ରାମର ବାଶଦାରା, ନାଗାବଳୀ ଏବଂ ଘୁମୁସରରେ ମାଓ ଡିଭିଜନ ପକ୍ଷରୁ ହାତ ଲେଖା ପୋଷ୍ଟର ମରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ‌ଖେଳିଯାଇଛି।

ଗଣ୍ଡ ସମାଜ ଯୁବକମାନଙ୍କୁ ଚେତାବନୀ ଦେଇ ପୋଷ୍ଟରରେ ଲେଖାଯାଇଛି ଯେ, ପୁଲିସ ଇନଫର୍ମରମାନେ ଜନ ଅଦାଲତରେ ଆତ୍ମସମର୍ପଣ କରନ୍ତୁ। ଖୁବ ଶୀଘ୍ର ସେମାନେ ଜନ ଅଦାଲତରେ ଆତ୍ମସମର୍ପଣ ନକଲେ ଭଣ୍ଡରଙ୍ଗି ସରପଞ୍ଚଙ୍କ ପୁଅ ଶଙ୍କର ଓ ଗୋଛାଗୁଡ଼ା ଗାଁର ହେମନ୍ତଙ୍କୁ ଯେଉଁଭଳି ଭାବେ ମୃତ୍ୟୁ ଦଣ୍ଡ ଦିଆଗଲା ସେହିଭଳି ଦଣ୍ଡ ସେମାନଙ୍କୁ ମଧ୍ୟ ଦିଆଯିବ। ଏଥି ପାଇଁ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ପୁଲିସ ଅଧିକାରୀମାନେ ଦାୟୀ ରହିବେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ପୋଷ୍ଟର ମରାଯିବା ପରେ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସମ୍ବନ୍ଧିତ ଖବର