ତହସିଲ କାର୍ଯ୍ୟାଳୟରେ ଲାଗିଲା ମାଓ ପୋଷ୍ଟର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମାର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମେତ କଦମ୍ବ ଦ୍ୱାର ସାହି ଅଙ୍ଗନୱାଡି କେନ୍ଦ୍ର ଓ ସାଇନଗର ଛକ ଠାରେ ୬ଟି ପୋଷ୍ଟର ମରାଯାଇଛି। ସେଥିରେ ସିପିଆଇ ମାଓବାଦୀ ରାୟଗଡା ଏରିଆ କମିଟି ବୋଲି ଉଲ୍ଲେଖ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ପୋଷ୍ଟର ଗୁଡିକ ମରାଯାଇଥିବା ଜଣାପଡିଛି। ତହସିଲ କାର୍ଯ୍ୟାଳୟ ଫାଟକରେ ୨ଟି, କଦମ୍ବ ଦ୍ୱାର ସାହି ଅଙ୍ଗନୱାଡି କେନ୍ଦ୍ରରେ ୨ଟି ଓ ସାଇନଗର ଠାରୁ ଧାମୁଣିପଙ୍ଗା ଯିବା ରାସ୍ତାରେ ୨ଟି ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ନିୟମଗରି ଅଞ୍ଚଳର ୩ଜଣ ବ୍ୟକ୍ତିଙ୍କୁ ଚେତାବନୀ ଦିଆଯାଇଛି। ସେମାନେ ପୁଲିସକୁ ସୂଚନା ଦେବା ବନ୍ଦ କରନ୍ତୁ ବୋଲି କୁହାଯାଇଛି। ସେହିପରି ନକ୍ସଲଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଧମକ ଦିଆଯାଇଛି। ନିୟମଗରି ପାହାଡରେ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ରାସ୍ତା କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ବ୍ଲକର ଚାଷୀଙ୍କ ଋଣ ଛାଡ ଦାବି ସହ ହାଟଦହିଖାଲ ଅଞ୍ଚଳରେ ନିର୍ମାଣ ହେଉଥିବା ସିଆରପିଏଫ କ୍ୟାମ୍ପକୁ ବିରୋଧ କରାଯାଇଛି। ପୂର୍ବରୁ ମାଓବାଦୀ ବ୍ଲକର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଜ ସ୍ଥିତି ଜାହିର କରିଛନ୍ତି। ପ୍ରଥମ ଥର ବ୍ଲକ ମହକୁମାରେ ପୋଷ୍ଟର ମାରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ପୋଷ୍ଟର ଗୁଡିକୁ ଜବତ କରିଥିଲା।

ସମ୍ବନ୍ଧିତ ଖବର