କୁପାଖାଲରେ ମାଓ ପୋଷ୍ଟର : ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଚେତାବନୀ

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଅଣ୍ଡରାକଞ୍ଚ ଥାନା ଅନ୍ତର୍ଗତ କୁପାଖାଲ ଗ୍ରାମରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଗ୍ରାମର ଦୋକାନ, ବଜାର ସମେତ ବିଭିନ୍ନ ସ୍ଥାନରେ ୧୦ଟି ମାଓ ପୋଷ୍ଟର୍ ଲାଗିଥିବା ବେଳେ ପ୍ରଜାକୋର୍ଟରେ ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଚେତାବନୀ ଦେଇଛି ମାଓ ସଂଗଠନର ଘୁମୁସର-ନାଗାବଳୀ ଡିଭିଜନ୍। ମାଓବାଦୀଙ୍କ ଗତିବିଧି ସଂପର୍କରେ ପୁଲିସକୁ ସୂଚନା ଦେବା ଅଭିଯୋଗରେ ମାଓ ସଂଗଠନ କୁପାଖାଲ ଗ୍ରାମର ହଳଧର ବାଘ ଓ ତାଙ୍କ ବଡ଼ ପୁଅକୁ ହତ୍ୟା କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ କରିଛି। ଏଥି ସହିତ ହଳଧର ଓ ସରପଞ୍ଚ ମାଓବାଦୀଙ୍କ ମୋବାଇଲ୍ ନଂବର ପୁଲିସକୁ ଦେଇଥିବାରୁ ପୁଲିସ୍ ଉକ୍ତ ନଂବରକୁ ଯାଂଚ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଖୁବ୍ ଶୀଘ୍ର ହଳଧର ଓ ତାର ବଡ଼ପୁଅକୁ ପ୍ରଜା କୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ମାଓ ସଂଗଠନ ଚେତାବନୀ ଦେଇଛି। ତେବେ କୁପାଖାଲରେ ମାଓ ପୋଷ୍ଟର ଲାଗିଥିବା ନେଇ ପୁଲିସ୍ ପାଖରେ କୌଣସି ସୂଚନା ନଥିବା ବେଳେ ରାୟଗଡା ଉପଖଣ୍ଡ ପୁଲିସ୍ ଅଧିକାରୀ ରାଜ କିଶୋର ଦାଶ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପୁଲିସ୍ ଇନଫର୍ମର ସଂଦେହରେ ମାଓବାଦୀ ହଳଧରଙ୍କୁ ଗତ କିଛି ଦିନ ତଳେ ଏକ ଚିଠି ମାଧ୍ୟମରେ ଚେତାବନୀ ଦେଇଥିଲେ। ଅଣ୍ଡରାକଞ୍ଚ ଥାନାରେ ଏନେଇ ହଳଧର ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମାଓବାଦୀଙ୍କ ପୋଷ୍ଟର ପରେ ଆଜି କୁପାଖାଲ ସମେତ ଆଖପାଖ ଗ୍ରାମରେ ଭୟର ବାତାବରଣ ଖେଳି ଯାଇଛି। ଗତ କିଛି ଦିନର ବ୍ୟବଧାନ ପରେ ପୁଣି ମାଓବାଦୀ ସେମାନଙ୍କ ଉପସ୍ଥିତି ଜାହିର୍ କରିଥିବାରୁ ପୁଲିସ୍ ଓ ସାଧାରଣ ଜନତାଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର