ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବହୁଦିନର ବ୍ୟବଧାନ ପରେ ସୁନାବେଡ଼ା ଅଭୟାରଣ୍ୟରେ ପୁଣି ମାଓବାଦୀ ତାଣ୍ଡବ ରଚିଛନ୍ତି। ନୂଆପଡ଼ା ବ୍ଲକ ଅଫିସ୍ରୁ ୧୨ କିମି ଦୂର କେରମେଲି ପଞ୍ଚାୟତ ଗୋଲାବନ୍ଧଠାରେ ଥିବା ଫରେଷ୍ଟ ବିଟ୍ ହାଉସକୁ ଉଡ଼ାଇବା ସହ ଏକ ଜେସିବି ଗାଡ଼ିକୁ ପୋଡ଼ି ଦେଇଛନ୍ତି। ତେବେ ସଦର ବ୍ଲକରେ ଅର୍ଥାତ୍ ପ୍ରଶାସନର ନାକ ତଳେ ମାଓବାଦୀ ଏଭଳି କାଣ୍ଡ ଭିଆଇବା ପୁଲିସ୍ର ଚିନ୍ତା ବଢ଼ାଇ ଦେଇଛି। ମାଓବାଦୀମାନେ ଏକ ପୋଷ୍ଟର୍ ଲଗାଇ ସରକାରଙ୍କୁ ବିରୋଧ କରିବା ସହ ଆଜିର ଦିନକୁ କଳା ଦିବସ ଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।
ପ୍ରକାଶ ଯେ, ନୂଆପଡ଼ା ଥାନା ଅନ୍ତର୍ଗତ ଗୋଲାବନ୍ଧ ନାକାପଡ଼ାକୁ ଗତ ରାତି ପ୍ରାୟ ୧୨ରୁ ୧ଟା ମଧ୍ୟରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ। ପ୍ରଥମେ ମାଓବାଦୀମାନେ ଫରେଷ୍ଟ ବଙ୍ଗଳାକୁ ବୋମାରେ ଉଡ଼ାଇ ଦେଇଛନ୍ତି। ଫଳରେ ବଙ୍ଗଳା ଭିତରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଏହାପରେ ବିଟ୍ ହାଉସ ପାଖରେ ଥିବା କେରମେଲି ପଞ୍ଚାୟତ ବିଏସ୍ଏନ୍ଏଲ୍ ଟାୱାର କାମରେ ନିୟୋଜିତ ଏକ ଜେସିବିକୁ ମଧ୍ୟ ମାଓବାଦୀ ଜାଳି ଦେଇଥିଲେ। ପଲିଥିନରେ ଲାଲ ରଙ୍ଗର ହାତଲେଖା ବ୍ୟାନର ଲାଲେଶ୍ବର ପାଣ୍ଡେଙ୍କ ଘର କାନ୍ଥ ସହ ୯ଟି ସ୍ଥାନରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ପୋଷ୍ଟରରେ ଛତିଶଗଡ଼ର କଂଗ୍ରେସ ସରକାର, ଓଡ଼ିଶାର ବିଜେଡି ସରକାର, ବିଜେପି ସରକାର ମିଶି ଜନତାଙ୍କୁ ଶୋଷଣ କରୁଛନ୍ତି। ସାମ୍ରାଜ୍ୟବାଦକୁ ବିରୋଧ କରିବା ସହ ଜଳ, ଜମି, ଜଙ୍ଗଲ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ବାନ ଦିଆଯାଇଛି। ଏହା ସହିତ ସୁନାବେଡ଼ା ଓ ଉଦନ୍ତୀ ଅଭୟାରଣ୍ୟରେ ଭରି ରହିଥିବା ଜଙ୍ଗଲ ସମ୍ପଦ ଓ ଖଣି ସମ୍ପଦକୁ ଦଲାଲ ସହ ମିଶି ସରକାର ବିକ୍ରି କରୁଛନ୍ତି। ଏହାକୁ ବିରୋଧ କରାଯାଇ ଆଜିର ଦିନ ୨୫ ତାରିଖକୁ ବିରୋଧ ଦିବସ ଭାବେ ପାଳନ କରାଯାଇଛି ବୋଲି ଦର୍ଶାଯାଇଛି।
ପୋଷ୍ଟରରେ ମେନପୁର- ନୂଆପଡ଼ା ଡିଭିଜନ ମାଓବାଦୀ ଉଲ୍ଲେଖ ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଦିନ ୧୧ଟାରେ ଏସ୍ପି ଜି.ଆର ରାଘବେନ୍ଦ୍ର, ସିଆର୍ପିଏଫ୍ ୨୧୬ କମାଣ୍ଡାଣ୍ଟ ଏରିକ୍ ଗିଲବର୍ଟ ଜୋସଙ୍କ ସହ ଜିଲ୍ଲା ପୁଲିସ୍ ଟିମ୍, ସିଆରପିଏଫ ଯବାନ, ଏସ୍ଓଜି, କୋବ୍ରା ଯବାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲାଗିଥିବା ବ୍ୟାନରକୁ ନେଇ ଯାଇଥିଲେ। ମାଓବାଦୀ ୫/୬ କେଜି ବିସ୍ଫୋରକ ବ୍ୟବହାର କରି ବିଟ୍ ହାଉସକୁ ଉଡ଼ାଇଥିବା ଏସ୍ପି ରାଘବେନ୍ଦ୍ର କହିଛନ୍ତି। ତେବେ ମାଓବାଦୀମାନେ ଏହି ଘଟଣା ଘଟାଇବା ସମୟରେ ବିଦ୍ୟୁତ ସେବା ବନ୍ଦ ରହିଥିବା ବେଳେ ବଙ୍ଗଳା ଉଡ଼ାଇବା ଓ ଜେସିବି ଜାଳିବା ଦୃଶ୍ୟ ସ୍ଥାନୀୟ ଲୋକ ନିଜ ଘର ଝରକାରୁ ଦେଖିଥିବା କହିଛନ୍ତି। ଏହି ଘଟଣା ପରେ ବର୍ତ୍ତମାନ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି।