ମାଓ ଆତଙ୍କ: ଅନିଶ୍ଚିତତା ମଧ୍ୟରେ ୫୦ କୋଟି ଟଙ୍କାର ପ୍ରକଳ୍ପ

ଅଧାରୁ ରାସ୍ତା କାମ ବନ୍ଦ, ଠିକା ସଂସ୍ଥାକୁ ସୁରକ୍ଷା ଦେବ କିଏ? ପୁଲିସ ଓ ପ୍ରଶାସନର ଅବହେଳା ଯୋଗୁଁ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ

ଫୁଲବାଣୀ : ମାଓ ଆତଙ୍କ ଓ ପୁଲିସ ପ୍ରଶାସନର ଉଦାସୀନତାରୁ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଥିବା ୫୦ କୋଟିର ଉନ୍ନୟନ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି। ବାରମ୍ବାର ମାଓବାଦୀଙ୍କ ଚେତାବନୀ, ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଏବଂ ସମ୍ପୃକ୍ତ ଠିକା ସଂସ୍ଥାର ଗାଡ଼ି ଓ ମେସିନ୍‌ ପୋଡ଼ିଦେବା ଯୋଗୁଁ ୪୮.୯୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ମାଶ୍ରିପଡ଼ା-କେଲାପଡ଼ା-ସାଡ଼ିଙ୍ଗିଆ-ବାଲନ୍ଦାପଡ଼ା ରାସ୍ତା କାମ ଅଧାରୁ ଅଟକି ଯାଇଛି। ମାଓବାଦୀମାନେ ରାସ୍ତା କାମ କରୁଥିବା ଠିକା ସଂସ୍ଥାର ମେସିନ୍‌ ଓ ଗାଡ଼ି ପୋଡ଼ି ନଷ୍ଟ କରିଦେବାରୁ ସମ୍ପୃକ୍ତ ଠିକା ସଂସ୍ଥା ନିର୍ମାଣ କାମରୁ ଓହରି ଯାଇଛି। ଅପରପକ୍ଷେ, ଜିଲ୍ଲା ପୁଲିସ ପ୍ରଶାସନ ସୁରକ୍ଷା ଯୋଗାଇ ଦେଲେ ରାସ୍ତା କାମ ପୁଣି ଆରମ୍ଭ ହୋଇପାରିବ ବୋଲି ଉକ୍ତ ଠିକା ସଂସ୍ଥା କହୁଥିବା ବେଳେ ପୁଲିସ ପ୍ରଶାସନର ଉଦାସୀନତା ଜିଲ୍ଲାର ବିକାଶର ପରିପନ୍ଥୀ ସାଜିଛି।

ସୂଚନାଯୋଗ୍ୟ, ଜିଲ୍ଲାର ଅତ୍ୟନ୍ତ ମାଓପ୍ରବଣ ଫିରିଙ୍ଗିଆ ବ୍ଲକର ଦୁର୍ଗମ ଅଞ୍ଚଳକୁ ଜିଲ୍ଲା ସଦର ମହକୁମା ଓ ଉପଖଣ୍ଡ ମୁଖ୍ୟାଳୟ ସହିତ ସଂଯୋଗ କରିବା ପାଇଁ କେନ୍ଦ୍ରୀୟ ସଡ଼କ ଭିତ୍ତିଭୂମି ପାଣ୍ଠିରୁ ଅନୁଦାନରେ ଏହି ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ପୂର୍ତ୍ତ ବିଭାଗ ତତ୍ତ୍ବାବଧାନରେ ମୋଟ ୨୭ କିଲୋମିଟର ଲମ୍ବ ଏହି ରାସ୍ତା ୨୦୨୨ ଜୁନ୍‌ ମାସ ସୁଦ୍ଧା ଶେଷ ହୋଇଥାନ୍ତା। ସିଆର୍‌ଆଇଏଫ୍‌ ପାଣ୍ଠିରୁ ୪୮.୯୦ କୋଟି ଟଙ୍କା ବିନିମୟରେ ଏହି ପ୍ରକଳ୍ପ କାର୍ଯ୍ୟ ଗତ ୨୦୨୦ ମସିହା ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ୬.୫ କିଲୋମିଟର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇଛି ଏବଂ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି ବୋଲି ଫୁଲବାଣୀ ପୂର୍ତ୍ତ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରାୟ ସୂଚନା ଦେଇଛନ୍ତି।

ବଳକା ୨୦.୫ କିଲୋମିଟର ରାସ୍ତା କାମ କେବେ ଶେଷ ହେବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି। ଗତ କିଛି ମାସ ତଳେ ମାଓବାଦୀ ଏହି ରାସ୍ତା ନିର୍ମାଣସ୍ଥଳରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିବା ସହ ସମ୍ପୃକ୍ତ ଠିକା ସଂସ୍ଥାର ଗାଡ଼ି ଓ ଅନ୍ୟାନ୍ୟ ସରଞ୍ଜାମ ପୋଡ଼ି ନଷ୍ଟ କରି ଦେଇଥିଲେ। ରାସ୍ତା କାମ ଦ୍ରୁତ ଗତିରେ ଆଗେଇ ଚାଲିଥିବାବେଳେ ମାଓବାଦୀମାନଙ୍କ ଏଭଳି କାର୍ଯ୍ୟକଳାପ ପାଇଁ ଦୀର୍ଘଦିନ ଧରି ରାସ୍ତା ନିର୍ମାଣ କାମ ବନ୍ଦ ରହିଛି। ଏହି ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ଫଳରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଗୁରୁତର ଆହତ ହୋଇ ଜୀବନ ମୃତ୍ୟୁ ସହ ଲଢୁଛନ୍ତି। ମାଓବାଦୀଙ୍କ ଧମକ ଓ ପୋଡ଼ାଜଳା ପରେ ଏହି ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ରାସ୍ତା କାମରୁ ଓହରି ଯାଇଛି।

ଠିକା ସଂସ୍ଥାର କହିବା ଅନୁସାରେ, ଉପଯୁକ୍ତ ସୁରକ୍ଷା ନ ମିଳିଲେ ରାସ୍ତା ନିର୍ମାଣ କାମ ଅସମ୍ଭବ ହୋଇ ପଡ଼ିବ। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ସମ୍ପୃକ୍ତ ଠିକା ସଂସ୍ଥାକୁ ସୁରକ୍ଷା ଯୋଗେଇ ଦେବ? ଏ ନେଇ ପୂର୍ତ୍ତ ବିଭାଗ, ଜିଲ୍ଲାପାଳ ଏବଂ ଏସ୍‌.ପିଙ୍କ ମଧ୍ୟରେ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଜିଲ୍ଲା ପୁଲିସ ପ୍ରଶାସନର ଆନ୍ତରିକତା ଅଭାବରୁ ଜିଲ୍ଲାର ଏଭଳି ବିକାଶ ପ୍ରକ୍ରିୟା ଠପ୍‌ ହୋଇଯାଇଛି। ସମ୍ପୃକ୍ତ ଠିକା ସଂସ୍ଥା କନ୍ଧମାଳ ଏସ୍‌.ପିଙ୍କୁ ଏ ବାବଦରେ ଜଣାଇ ସୁରକ୍ଷା ମାଗିଥିଲେ ମଧ୍ୟ ପୁଲିସ ପ୍ରଶାସନ ନିରବ।

ପୂର୍ବରୁ ଥିବା ସଂକୀର୍ଣ୍ଣ ରାସ୍ତାକୁ ଦୋହରୀକରଣ କରାଯିବା ସହିତ ବିଭିନ୍ନ ସ୍ଥାନରେ ଗାର୍ଡ଼ୱାଲ୍‌, ପୋଲ୍‌, କଲର୍ଭଟ ଆଦି ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ଏହି ରାସ୍ତା ନିର୍ମାଣ ହେଲେ ବାଲିଗୁଡ଼ାରୁ ଦୁର୍ଗମ ସାଡ଼ିଙ୍ଗିଆ ଅଞ୍ଚଳ ଦେଇ ମାଶ୍ରିପଡ଼ା, କେଲାପଡ଼ା ଓ ବାଲନ୍ଦାପଡ଼ାକୁ ସଂଯୋଗ ହୋଇପାରିବ। ସେହିଭଳି ବାଲନ୍ଦାପଡ଼ାରୁ ପକାରି ଦେଇ ବୌଦ୍ଧ ଜିଲ୍ଲାକୁ ମଧ୍ୟ ଯୋଗାଯୋଗ ସୁଗମ ହୋଇପାରିବ। ତେବେ ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ପ୍ରଥମେ ୨୦୨୨ ମସିହା ଫେବ୍ରୁଆରି ୭ ତାରିଖ ଦିନ ସମ୍ପୃକ୍ତ ଠିକା ସଂସ୍ଥାର ଜେସିବି, ରୋଲର ଓ ଯାନବାହନ ପୋଡ଼ାଜଳା କରିଥିଲେ।

ପରେ ୨୦୨୨ ମାର୍ଚ୍ଚ ୨୮ ତାରିଖରେ ଆଉ ଥରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇ ପଡ଼ିଥିଲେ। ରାସ୍ତା କାମ ବନ୍ଦ କରିବାକୁ ମାଓବାଦୀମାନେ ପୋଷ୍ଟର, ବ୍ୟାନର ମାଧ୍ୟମରେ ଚେତାବନୀ ଦେଇଥିଲେ। ଫଳରେ ଭୟଭୀତ ହୋଇ ସମ୍ପୃକ୍ତ ଠିକା ସଂସ୍ଥା ଅଧାରୁ କାମ ବନ୍ଦ କରି ଦେଇଥିଲା। ରାସ୍ତା କାମ ବନ୍ଦ ହେବା ପ୍ରାୟ ୩ ମାସ ବିତି ଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ।

ସମ୍ବନ୍ଧିତ ଖବର