ଟିପ୍ପର ପୋଡ଼ିଲେ ମାଓବାଦୀ!

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ ଖଣି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ମୈତ୍ରୀ କଂପାନିର ଗୋଟିଏ ଟିପ୍ପରକୁ ପୋଡ଼ି ଦିଆଯାଇଛି। ସେହି ଅଞ୍ଚଳରେ ଆଜି ସକାଳେ ଦୁଇଟି ଲାଲ ବ୍ୟାନର ମାଓବାଦୀ ନାମରେ ଲଗାଯାଇଥିବାରୁ ଏହି କାମ ନକ୍ସଲ କରିଥାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଏନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ଖବର ପାଇ ଆଜି ସକାଳୁ ଲକ୍ଷ୍ମୀପୁର ପୁଲିସ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଛି। ଲକ୍ଷ୍ମୀପୁର ଥାନା ଆଇଆଇସି ଜଗନ୍ନାଥ ଆଚାର୍ଯ୍ୟଙ୍କୁ ଏନେଇ ପଚାରିବାରୁ ଖଣି ଅଞ୍ଚଳରେ ଗତ କିଛି ଦିନ ହେଲା ବିଭିନ୍ନ କାରଣରୁ ବିବାଦ ଲାଗି ରହିଛି। ଯେଉଁଭଳି ଭାବେ ଟିପ୍ପରକୁ ପୋଡ଼ା ଯାଇଛି ତାହାକୁ ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି। କାରଣ ଟିପ୍ପର, ଜେସିବି ସହ ବହୁ ଯନ୍ତ୍ରପାତି ଗୋଟିଏ ସ୍ଥାନରେ ଥିଲେ ହେଁ କେବଳ ଟିପ୍ପରରେ ନିଆଁ ଲଗାଯାଇଛି। ପୁଣି ରାତି ୪ଟାରେ ଏହି ଘଟଣା ଘଟିଥିବାରୁ ପୂର୍ବରୁ ମାଓବାଦୀ ଏମିତି କେବେ କରିଥିବାର ନଜିର ନାହିଁ। ଏଥିପାଇଁ ପ୍ରକୃତ ମାଓବାଦୀ ନା’ ମାଓବାଦୀଙ୍କ ନାମରେ କେହି ଦୁର୍ବୃତ୍ତ ଏମିତି କାମ କରିଛି ତାହାର ତଦନ୍ତ କରାଯାଉଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର